କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ଜନ ପ୍ରତିନିଧି। ଶେଷରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମର ଚାଷି ଓ ଗ୍ରାମବାସୀ। ଆଁଇଲି ଗ୍ରାମ ହେଉଛି ଏକ କୃଷି ବହୁଳ ଗ୍ରାମ। ଏହି ଗ୍ରାମର ଅଧିକାଂଶ ଲୋକ ଚାଷ ଉପରେ ଜୀବନ ଜୀବିକା ନିର୍ବାହ କରୁଥିବାବେଳେ ଚାଷିଙ୍କ ଚାଷଜମି କୁ ସଂଯୋଗ କରୁଥିବା ଚିକିଲି ମାଳ ରାସ୍ତା ଅତି ଶୋଚନୀୟ ଓ ଖାଳଖମା ଅବସ୍ଥାରେ ରହିଥିଲା। ବର୍ତ୍ତମାନ ଚାଷ ଜମିକୁ ଟ୍ରାକ୍ଟର କିମ୍ବା ଧାନ କଟା ମେସିନ ଯିବାରେ ଅସୁବିଧା ଭୋଗିବାକୁ ପଡୁଛି। ଆଁଇଲି ଗ୍ରାମର ଚାଷି ମାନେ ଅନେକ ସମୟରେ ସ୍ଥାନୀୟ ଲଡୁଗାଁ ପଞ୍ଚାୟତ ସରପଞ୍ଚ ଓ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ପଞ୍ଚାୟତ ଅନୁଦାନରେ ଉକ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଅନୁଦାନ ନଥିବା ଦର୍ଶାଇ ପଞ୍ଚାୟତ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଗ୍ରାମର ଚାଷୀ ମାନେ ନିଜେ ପରିଶ୍ରମ କରି ଓ ଜେସିବି ଟ୍ରାକ୍ଟର ଲଗାଇ ପ୍ରାୟ ୨ କିମି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ଚାଷି ସୁବ୍ରତ କୁମାର ସାହୁ, ରସିକ ଲାଲ ମାଝୀ, କୁଳମଣି ସାହୁ, ଭାରତ ରାଉତ, ନୀଳମାଧବ ସାହୁ, ମୀନକେତନ ମାଝୀ, ଜୀମୂତ ବାହାନ ମାଝୀ, ଚିତ୍ତ ରଂଜନ ସାହୁ ସମେତ ଗ୍ରାମବାସୀ ମିଳିତ ସହଯୋଗରେ ଗାଡିମୋଟର ଓ ପରିଶ୍ରମ କରି ରାସ୍ତା ରେ ମୁରୁମ ଦେଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।
