ବୋଲେରୋ, ଟ୍ରାକ୍ଟର ଓ ବାଇକ୍ ଉପରେ ମାଡିଗଲା ଟ୍ରେଲର

୩ଗୁରୁତର : ଡ୍ରାଇଭର ଥାନାରେ ଅଟକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୨୬ ନମ୍ବର ଜାତୀୟ ରାଜପଥର ର କୋକସରା ଥାନା ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ, ଟ୍ରାକ୍ଟର ଓ ବାଇକ୍ ଉପରେ ଟ୍ରେଲର ଚଢ଼ି ଯିବାରୁ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚିଲିଗୁଡା ଗ୍ରାମର ପ୍ରଶାନ୍ତ ସିଂ, ଭୋଳା ଶଙ୍କର ନାଏକ ଓ ଶଙ୍କର ନିଆଁଲ। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଭବାନୀପାଟଣା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ନମ୍ବର (ଏନ୍ ଏଲ ୦୧ ଏଜି ୮୮୭୭) ରାସ୍ତା କଡରେ ଥିବା ଏକ ବୋଲେରୋ, ଟ୍ରାକ୍ଟର ଓ ବାଇକ ସମେତ ଲୋକଙ୍କ ଉପରେ ମାଡି ଯାଇଥିଲା। ଫଳରେ ୩ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରେଲର ଡ୍ରାଇଭରକୁ କାବୁ କରି କୋକସରା ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନେଇ ଥାନାରେ ଅଟକ ରଖିଥିବା ଜଣାପଡିଛି। କୋକସରା ମେଡ଼ିକାଲରେ ପ୍ରଶାନ୍ତ, ଭୋଳା ଶଙ୍କର ଓ ଶଙ୍କର କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପ୍ରଶାନ୍ତ ସିଂଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଅଟକ ଡ୍ରାଇଭର ହେଲେ ପଞ୍ଜାବ ରାମଦାସ ଗ୍ରାମର ଗୁରଚନ ସିଂ ଓ ଟ୍ରେଲର ଟି ରାୟପୁରର ବୋଲି ସୂଚନା ମିଳିଛି। କୋକସରା ଥାନା ପୋଲିସ ଟ୍ରେଲର କୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।