ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ। ଏଠାରେ ଆଦିବାସୀଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ, ଅର୍ଥକାରୀ ଫସଲ ଭାବେ ଏଠାରେ ମକାକୁ ପରିଗଣନା କରାଯାଏ। ମକା ଉତ୍ପାଦନରେ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି। ହେଲେ ମକା ବିକ୍ରୟ ପାଇଁ କୌଣସି ବଜାର କିମ୍ବା ମଣ୍ଡିର ବ୍ୟବସ୍ଥା ନଥିବାରୁ ଏଠାକାର ମକା ଚାଷୀ ପ୍ରତିବର୍ଷ କ୍ଷତିସହି ଆସୁଛନ୍ତି। ବୁଲା ବେପାରୀମାନେ ସେମାନଙ୍କୁ ସୁହେଇଲା ଭଳି ମୂଲ୍ୟ ଦେଇ ମକା କ୍ରୟ କରୁଛନ୍ତି। ତେଣୁ ଏଠାକାର ଶହ ଶହ ଚାଷୀ ପ୍ରତିବର୍ଷ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏ ଅଞ୍ଚଲରେ ମକା ମଣ୍ଡିର ବ୍ୟବସ୍ଥା କରାଯିବା ସହିତ ଧାନର ଯେମିତି ଏମଏସପି ରହିଛି, ମକାର ମଧ୍ୟ ସେମିତି ଏମଏସପି ଧାର୍ଯ୍ୟ କରାଗଲେ ଏଠାକାର ମକା ଚାଷୀ ଉପକୃତ ହୁଅନ୍ତେ ବୋଲି ଝରିଗାଁ ବିଧାୟକ ନରସିଂହ ଭତରା ବିଧାନସଭାର ଶୀତ ଅଧିବେଶନରେ ପ୍ରସ୍ତାବ ରଖିଛନ୍ତି।
