କୋକସରା ବ୍ଳକରେ ଖୋଲୁନି ମଣ୍ଡି

  • ବଢୁଛି ଧାନ ଚୋରା ଚାଲାଣ : ଚିନ୍ତାରେ ଚାଷୀ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାରେ ଗତ ୨୯ ତାରିଖରେ ଖରିଫ୍ ଧାନ ମଣ୍ଡି ଖୋଲିଥିଲେ ହେଁ ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ପର୍ଯ୍ୟନ୍ତ ମଧ୍ୟ ମଣ୍ଡି ଆରମ୍ଭ ହୋଇ ପାରିନାହିଁ। ଯାହା ଫଳରେ ଚାଷୀଙ୍କ ମୁଠାଏ ମଧ୍ୟ ଧାନ ଉଠାଣ ହୋଇପାରି ନଥିବା ବେଳେ ଧାନ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ତେବେ କୋକସରା ବ୍ଳକରେ ମଧ୍ୟ ଧାନ ମଣ୍ଡି ଆରମ୍ଭ ହୋଇ ନଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ। ସୂଚନା ଅନୁସାରେ, କୋକସରା ବ୍ଲକରେ ୬ଟି ପ୍ୟାକ୍ସ ରହିଥିବାବେଳେ ଏହି ପ୍ୟାକ୍ସ ଗୁଡ଼ିକ ଅଧିନରେ ମୋଟ ୨୩ ଗୋଟି ଧାନ ମଣ୍ଡି ରହିଛି। ତନ୍ ମଧ୍ୟରୁ ୭ ଗୋଟି ଉପ-ମଣ୍ଡି ରହିଛି। ଚଳିତବର୍ଷ ୬ଟି ପ୍ୟାକ୍ସ ଧାନ କ୍ରୟ କରୁଥିବାବେଳେ ଗୋଟିଏ ମାତ୍ର ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ନେଇ ସୂଚନା ରହିଛି। ତେବେ ଜିଲ୍ଲାରେ ମଣ୍ଡି ଆରମ୍ଭ କୁ ପ୍ରାୟ ସପ୍ତାହେ ବିତିଯାଇଥିଲେ ସୁଦ୍ଧା କୋକସରା ବ୍ଲକର କୌଣସି ପ୍ୟାକ୍ସରେ ମଣ୍ଡି ଆରମ୍ଭ ହୋଇ ନାହିଁ। ବ୍ଳକରେ ୬୦ ପ୍ରତିଶତ ଧାନ କଟା ସରିଥିବାବେଳେ ଚାଷୀମାନେ ଅମଳ ପରେ ଧାନ କୁ ଖଲା, ଘରେ ଓ ଖୋଲା ଆକାଶ ତଳେ ରଖି ମଣ୍ଡି ଖୋଲିବା ଦିନକୁ ଚାହିଁ ବସି ଶୀତ କାକରରେ ପଡି ରହିଛନ୍ତି। ବ୍ଳକରେ ମୋଟ୍ ୧୩ ହଜାର ୧୦୬ ଜଣ ଚାଷୀ ଖରିଫ୍ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କାଁ ଭାଁ ଚାଷୀଙ୍କ ଟୋକନ୍ ଆସିଛି। ଯାହା ଚାଷୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ଏହାର ସୁଯୋଗ ନେଇ ଦଲାଲ୍ ମାନେ ସକ୍ରିୟ ହୋଇ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ କ୍ରୟ କରି ନେଉଛନ୍ତି। ଚାଷୀ ମଧ୍ୟ ନିଜର ଆବଶ୍ୟକତାକୁ ପୂରଣ କରିପାବା ଓ ଧାର କରଜ ସୁଝିବା ଚିନ୍ତାରେ ବାଧ୍ୟ ହୋଇ କମ୍ ଦରରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ବିଳମ୍ ଧାନ ମଣ୍ଡି ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିଥିବାବେଳେ ଅସାଧୁ ମିଲର୍ସ ଓ ଧାନ ବେପାରି ଏହାର ଭରପୁର ଫାଇଦା ନେବାରେ ଲାଗି ପଡିଛନ୍ତି। ଅନ୍ୟପଟେ କୋକସରା ବ୍ଳକରେ ବିଧିବଦ୍ଧ ଭାବେ ମଣ୍ଡି ଖୋଲିଥିଲେ ହେଁ କେବେ ଚାଷୀଙ୍କ ଧାନ ଉଠାଣ ହେବ ତାହା ଆଶା ଆଶଂକାରେ। ଏଣେ ମଣ୍ଡି ଉଦଘାଟନ କେବଳ ପୂଜାର୍ଚ୍ଚନା ଓ ନଡ଼ିଆ ଭଙ୍ଗାରେ ସୀମିତି ରହି ଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜତା ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ ମିଲର୍ସଙ୍କ ବକ୍ ଗ୍ୟାରେଣ୍ଟି ସରିବା ପରେ ମଣ୍ଡି ଆରମ୍ଭ ହେବ ବୋଲି କହିଥିବାବେଳେ ଧାନ ଚୋରା ଚାଲାଣ ରୋକିବା ଉପରେ ବିଶେଷ ଦୃଷ୍ଟି ରହିଛି ବୋଲି ପ୍ରକାଶ କରିଛନ୍ତି।