କଲମପୁରରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଖୋଲିଲା ମଣ୍ଡି

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ବହୁ ବିଳମ୍ବ ହୋଇଥିଲେହେଁ ଶୁକ୍ରବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ମଣ୍ଡି ଖୋଲାଯାଇଛି। କଲମପୁର ସମବାୟ ସମିତି ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ର ମୋହନ ବାଗଙ୍କ ଆହ୍ୱାନ କ୍ରମେ ସଭାପତି ଶଙ୍କର୍ଷଣ ବେହେରାଙ୍କ ତତ୍ତ୍ଵାବଧାନରେ ପ୍ରଥମେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ଧାନ କିଣା ବିକା କରାଯିବା ନେଇ ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି ଅନୁଯାୟୀ ୨ ଗୋଟି ରାଇସମିଲକୁ ଧାନ ଉଠାଣ କରିବାକୁ ଦିଆଯାଇଛି। ନିକଟସ୍ଥ ଶ୍ରୀକ୍ରୀଷ୍ଣା ରାଇସ ମିଲ ବାବୁକେନ୍ଦୁଗୁଡ଼ା ଏବଂ ବାସୁଦେବ ଫୁଡ କେସିଙ୍ଗାକୁ କଲମପୁର ପେକ୍ସ ଅନ୍ତର୍ଗତ ବଙ୍କାପଲା, ଦେପୁର,ବରଗାଁ, କଲମପୁର ଏବଂ ପଣ୍ଡିଗାଁ ମଣ୍ଡି ସହ ଇଚ୍ଛାପୁର ମଣ୍ଡି ଚାଷୀଙ୍କ ଧାନ ଉଠାଣ କରିବାକୁ ଦିଆଯାଇଛି। ଦାୟିତ୍ୱରେ ଥିବା ଅଧିକାରୀ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ, ରାଜସ୍ୱ ନିରୀକ୍ଷକ ସୁମନ୍ତ କୁମାର ପାତ୍ର, ଯୋଗାଣ ନିରୀକ୍ଷୀକା ଲିଶା ସାହୁ, ଆରଏମସି କର୍ମଚାରୀ ମଧୁସୂଦନ ପାତ୍ରଙ୍କ ସମେତ ସମିତି ପରିଚାଳନା କମିଟି ସଦସ୍ୟ ବୃନ୍ଦ, ସ୍ଵୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ, ସମ୍ପାଦିକାଙ୍କ ସହ ସମସ୍ତ ସଦସ୍ୟା ବୃନ୍ଦ, ମିଲ ମାଲିକ ମୁକେଶ ରାଜ ପୁରୋହିତ,ଏଜେଣ୍ଟ ରାଜେଶ ସାହୁ, ଭୁଜବଳ କରୁଆଁ ଚାଷୀ ମାନଙ୍କ ଉପସ୍ଥିତି ରେ ଧାନର ଆର୍ଦ୍ରତା ଏବଂ ମାନ ପରୀକ୍ଷା କରିଥିଲେ। ଇଚ୍ଛାପୁର ମଣ୍ଡିରୁ ଜଣେ ଚାଷୀଙ୍କ ୭୫ କ୍ଵିଣ୍ଟାଲ ଧାନ ଏବଂ କଲମପୁରରୁ ୨ ଜଣ ଚାଷୀଙ୍କ ୧୦୮ କ୍ଵିଣ୍ଟାଲ ଧାନ କିଣା ଯାଇଛି।ଏଥିସହ ମଣ୍ଡଳ ଓ ବଡକୁଟୁରୁ ମଣ୍ଡି ମଧ୍ୟ ଖୋଲା ଯାଇଥିବା ସୂଚନା ମିଳିଛି। ଧାନ କିଣା ବିକା ଚାଲୁ ହେବାଦ୍ବାରା ଚାଷୀ ମନରେ ଟିକିଏ ଆଶ୍ୱସ୍ତି ଦେଖିବାକୁ ମିଳିଛି।