ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ମୁଣ୍ଡପଡାଠାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଚିଚିଆ ଗ୍ରାମର ଯୁଧେଷ୍ଠି ନାଏକଙ୍କ ପୁଅ ମକରଧ୍ୱଜ ନାଏକ (୩୦) ବୋଲି ଜଣାପଡିଛି। ଏନେଇ ମୃତକଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

        ଅଭିଯୋଗ ମତେ, ମୃତକ ମକରଧ୍ୱଜ ନିଜ ସ୍ତ୍ରୀ ଓ ୯ ବର୍ଷର ଝିଅ ସହ ଘରେ ଶୋଇଥିଲେ। ତେବେ ପ୍ରବଳ ଗରମ ଅନୁଭୂତି ହେବାରୁ ଯୁବକ ଜଣକ ଘର ବାହାରେ ଶୋଇଥିଲେ। ହେଲେ ସକାଳୁ ତାଙ୍କୁ ଘରେ ଦେଖିବାକୁ ପାଇ ନଥିଲେ। ଏହା ପରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିଚିଆ ଗ୍ରାମର ମୁଣ୍ଡପଡା ସ୍ଥିତ ଜଣେ ବ୍ୟକ୍ତିଙ୍କ ଘର ଦ୍ୱାରମୁହଁରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କ ପୁଅର ହତ୍ୟା ହୋଇଥିବା ନେଇ ଦଶପୁର ଫାଣ୍ଡିକୁ ଖବର ଦେଇଥିଲେ। ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିଚିଆ ଗ୍ରାମର ତିନି ଜଣ ଯୁବକ ମିଶି ପିଟିପିଟି ମାରିଦେଇଥିବା ମୃତକଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣା ସ୍ଥଳରେ ଦଶପୁର ପୁଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ କରୁଥିବା ସହ ଶବ ଜବତ୍ କରିଥିବା ଜଣାପଡିଛି। ଧର୍ମଗଡ଼ ଭାରପ୍ରାପ୍ତ ଏସଡିପିଓ ମୁକ୍ତି କୁମାର କୁଲୁ, ଗୋଲାମୁଣ୍ଡା ଥାନାଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଣ୍ଡରାମାଲି ସମାଜର କର୍ମକର୍ତ୍ତା ମାନେ ଦାବୀ କରିଛନ୍ତି।