ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ପଞ୍ଚାୟତ ସଦର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଅପଗ୍ରେଡ କରି ହାଇସ୍କୁଲ ମାନ୍ୟତା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ଠୁଙ୍କି ଧାରଣା ଦେବା ଫଳରେ ବିଦ୍ୟାଳୟ କାର୍ଯ୍ୟକ୍ରମ ବାଧା ସୃଷ୍ଟି ହୋଇଥିଲା। ଏହି ସମୟରେ ଡ଼ଙ୍ଗାସିଲ ରାସ୍ତା ଦେଇ ଯାଉଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଛାତ୍ରଛାତ୍ରୀ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ହସ୍ତକ୍ଷେପ ନେଇ ରାୟଗଡ଼ା ଡ଼ିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାଶୀପୁର ବିଇଓ ଉମର ସିଂ ନାୟକ ନିର୍ଦ୍ଦେଶରେ ଏବିଇଓ ପବିତ୍ର ମୋହନ ନାଏକ ଏବଂ ସିଆରସିସି ଦୁଲ୍ଲଭ ସାଉନ୍ତା ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ହାଇସ୍କୁଲ ଘୋଷଣାରେ ବିଭାଗ ପକ୍ଷରୁ ପଦକ୍ଷେପନିଆ ଯାଇ ଥିବାର ଛାତ୍ରଛାତ୍ରୀ ସହିତ ଅଭିଭାବିକ ମାନଙ୍କୁ ଅବଗତ କରି ବୁଝାସୁଝା କରିଥିଲେ। ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ୧୯୫୭ ରେ ସ୍ଥାପିତ ଡ଼ଙ୍ଗାସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଠଟି ଶ୍ରେଣୀରେ ୨୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପଞ୍ଚାୟତ ସଦର ମହକୁମାରେ ମଙ୍ଗଳ ବିଭାଗର ଆବାସିକ ବାଳିକାଉଚ୍ଚ ବିଦ୍ୟାଳୟ ରହି ଥିଲେ ହେଁ ବାଳକ ମାନଙ୍କ ପାଇଁ ହାଇସ୍କୁଲରେ ପଢ଼ିବାର ସୁବିଧାନାହିଁ ।ଯାହା ଫଳରେ ପ୍ରାଥମିକ ବିଦ୍ୟାଳୟ ରୁ ଅଷ୍ଟମ ପାସ ପରେ ଅନ୍ୟ ହାଇସ୍କୁଲରେ ନାମ ଲେଖାଇବା ପାଇଁ ହଇରାଣ ହେଉଛନ୍ତି। ପଢ଼ିବାର ସୁବିଧା ନ ଥିବାରୁ ବହୁ ଜଣ ଅଧାରୁପାଠ ଛାଡ଼ି ବାକୁ ବାଧ୍ୟ ହେଉଛନ୍ତି। ହାଇସ୍କୁଲ ମାନ୍ୟତା ଦେବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଉ ଥିଲେ ସୁଦ୍ଧା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାର ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
