ନୂଆଦିଲ୍ଲୀ ସଂସଦ ଭବନରେ ବକ୍ତବ୍ୟ ପାଇଁ ମାଝୀଧନୁଆ ଛାତ୍ର ମନୋନୀତ

କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର : ଚଳିତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସ୍ୱାଧୀନତା ସଂଗ୍ରାମୀ  ମଦନମୋହନ ମାଲବ୍ୟଙ୍କର ୧୫୦ ତମ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସଂସଦ ଭବନରେ ନବରଙ୍ଗପୁର, କୋଷାଗୁମୁଡା ବ୍ଲକ ଉନ୍ନୀତ ଉଚ୍ଚବିଦ୍ୟାଳୟ ମାଝୀଧନୁଆର ଛାତ୍ର ବସନ୍ତ ଚଣ୍ଡାଳ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛି । ଯାହାକି ଆସନ୍ତା ୨୫ ଡିସେମ୍ବରରେ ସଂସଦ ଭବନରେ ଅନୁଷ୍ଠିତ ହେବ। ନବରଙ୍ଗପୁର ଭଳି ଏକ ଉପାନ୍ତ ଅଂଚଳରୁ ଜଣେ ଅନୁସୂଚୀତ ଜାତି ଛାତ୍ରଟିଏ ଦିଲ୍ଲୀ ଯାଇ ସଂସଦ ଭବନରେ ନିଜର ବକ୍ତବ୍ୟ ରଖିବା କିଛି କମ ଗର୍ବର କଥା ନୁହେଁ। ଏହି ସଫଳତା ପଛରେ ମାର୍ଗଦର୍ଶକ ଶିକ୍ଷକ ବଦ୍ରିନାରାୟଣ ବିଶ୍ୱାଳଙ୍କ ଅକ୍ଲାନ୍ତ ପରିଶ୍ରମ ଗୁରୁତ୍ୱ ବହନ କରେ। ଏହି ଖବର ପହଁଚିଲା ପରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ଶୁଭେଚ୍ଛା ସହିତ ଜିଲ୍ଲାର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି।