ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ଜିଲ୍ଲା ସ୍ତରୀୟ ଷୋହଳ ତମ ଜାତୀୟ ମତଦାତା ଦିବସ ପାଳନ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡ ତଥା କାଶୀପୁର ବିଡିଓ ସୁଜିତ କୁମାର ମିଶ୍ର, ରାୟଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ ଓ ବିଚିତ୍ରା ସେଠୀ, ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ପ୍ରଣତି ପାତ୍ର ଓ ରୂପାଲି ଜେନା, ରାୟଗଡ଼ ସ୍ଵୟଂ ଶାସିତ କଲେଜ, ରାୟଗଡ଼ ମହିଳା ମହାବିଦ୍ୟାଳୟ, ଆଇଏସିଆର, ଜିଷ୍ଟ କଲେଜ, ମଡେଲ ଡିଗ୍ରୀ କଲେଜ, ଉଗ୍ରତାରା କଲେଜ ଆଦିର ଅଧ୍ୟକ୍ଷ, ଅଧ୍ୟାପକ ବୃନ୍ଦ ଯୋଗ ଦେଇଥିଲେ। ଆସନ୍ତା ଜାନୁୟାରୀ ୨୫ ତାରିଖରେ ଏକ ଭୋଟର ସଚେତନତା ରାଲି ରାୟଗଡ଼ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପାର୍ଶ୍ଵରେ ଥିବା ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଓ ତହସିଲ କାର୍ଯ୍ଯାଳୟ ଦେଇ ବିଜୁପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ପହଁଞ୍ଚିବ। ପରେ ସେଠାରେ ସଧାରଣ ସଭା, ଶପଥପାଠ, ଭୋଟର ପରିଚୟ ପତ୍ର ବଣ୍ଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହି ଥିବା ଉପଜିଲ୍ଲାପାଳ ରମେଶ କୁମାର ଜେନା କହିଛନ୍ତି।
