ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଭୋଟର ପରିଚୟ ପତ୍ର ସଂଶୋଧନ ସହିତ ଭୋଟର ତାଲିକାରେ ନାମ ଯୋଡ଼ିବା ମୃତ ବ୍ୟକ୍ତିଙ୍କ ନାମକୁ ତାଲିକା ରୁ ହଟାଇବା ଭଳି କାର୍ଯ୍ୟ କରି ଜିଲ୍ଲା ସ୍ତରୀୟ ଭୋଟର ଦିବସ ପାଳନ ଅବସରରେ ଦାରିଙ୍ଗବାଡ଼ି ବ୍ଲକ କୁ ପୁରସ୍କୃତ କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତି ରଞ୍ଜନ ରଥଙ୍କୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଭାବେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇ ଥିବାବେଳେ ଦାରିଙ୍ଗବାଡ଼ି ବ୍ଲକର ଶ୍ରେଷ୍ଠ ବି.ଏଲ.ଓ ସୁପର ଭାଇଜର ଭାବରେ କିରୀକୁଟୀ ସି.ଆର.ସି.ସି ରାକେଶ କୁମାର ସାହୁ ଙ୍କୁ ମାନପତ୍ର ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଏବଂ ଶ୍ରେଷ୍ଠ ବି.ଏଲ. ଓ ଭାବରେ ଶ୍ରାନିକେତା ପଞ୍ଚାୟତର ୧୭୫ ନମ୍ବର ମତଦାନ କେନ୍ଦ୍ରର ବି.ଏଲ.ଓ ସଂଗ୍ରାମ ନାୟକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସମେତ କୁଶଳ ଚନ୍ଦ୍ର ନାୟକ ଏବଂ ଫୁଲବାଣୀ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ତଥା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରମୁଖ ଉପସ୍ଥିତ ରହି ଦାରିଙ୍ଗବାଡ଼ି ବ୍ଲକ କୁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସରେ ଦାରିଙ୍ଗବାଡ଼ି ବ୍ଲକ ପୁରସ୍କୃତ ହେବାଫଳରେ ବିଭିନ୍ନ ମହଲରୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଶୁଭେଚ୍ଛା ଜଣାଯାଇଛି।
