ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ଛଳନା ଏବେ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ। ନିର୍ବାଚନ ସମୟରେ ହଜାରେ ଟଙ୍କା ଭତ୍ତାକୁ ୩୦୦୦ ଟଙ୍କା କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା। ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଧିକ ମନ୍ତ୍ରୀ ଖୁବଶୀଘ୍ର ବର୍ଦ୍ଧିତ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ବିଜେପି ସରକାର ଗଢିବାର ବର୍ଷେରୁ ଊର୍ଦ୍ଧ ବିତିଯାଇଥିଲେ ସୁଦ୍ଧା ଅଧିକାଂଶ କ୍ଷେତ୍ରରେ ୩୫୦୦ଟଙ୍କା ଭତ୍ତା ଦିଆଯାଉ ନଥିବା ଅଭିଯୋଗ ହେଉଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ବେଳଗାଁ ପଞ୍ଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମର ବିଧବା ବୃଦ୍ଧା କଳାବତୀ ଭତରାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ୯୦ ବର୍ଷରୁ ଉର୍ଦ୍ଧ ବୟସ ହୋଇଯାଇଥିଲେ ମଧ୍ୟ ୧୦୦୦ଟଙ୍କା ହିଁ ବିଧବା ଭତ୍ତା ପାଉଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ପୂର୍ବେ ମିଳିଥିବା ଇନ୍ଦିରା ଆବାସ ଘରେ ରହଣି କରି ରହି ଆସୁଛନ୍ତି। ମାସକୁ ୧୦୦୦ ଟଙ୍କା ଓ ୫ କେଜି ରାସନ ଚାଉଳରେ ଗୁଜୁରାଣ କରୁଛନ୍ତି। ୩୫ ଶହ ଟଙ୍କା ଭତ୍ତା ପାଇଁ ପଞ୍ଚାୟତ ୱାର୍ଡ ମେମ୍ବର ଠାରୁ ଆରମ୍ଭର କରି ସରପଞ୍ଚ ଓ ପିଇଓଙ୍କୁ ଅନେକ ଥର କାଗଜପତ୍ର ଦେଇଥିଲେ ହେଁ କୌଣସି ସୁଫଳ ମିଳିନଥିବା କହିଛନ୍ତି। ପ୍ରଶାସନ କଳାବତୀଙ୍କୁ ମାସିକ ୩୫୦୦ଟଙ୍କା ପ୍ରଦାନ କରିବାକୁ ଦାବୀ ହୋଇଛି। ଏହି ସବୁ ଯୋଜନା ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ବ୍ଲକସ୍ତରରେ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ଦେଉ ନଥିବା ସାଧାରଣରେ ଆଲୋଚନା ହେଉଛି। ଏନେଇ ଝରିଗାଁ ବିଡ଼ିଓ ଏବଂ ଝରିଗାଁ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଯୋଗାଯୋଗ ହୋଇପାରି ନଥିବାରୁ ପ୍ରତିକ୍ରିୟା ମିଲିପାରି ନାହିଁ।
