ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଦିନକୁ ଦିନ ଦୁର୍ବୃତ୍ତ ମାନେ ନବରଙ୍ଗପୁର ଜିଲ୍ଲାରେ ସକ୍ରିୟ ହେବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଖବର ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଦିନ ତଳେ ରାତି ଅଧରେ ମାରଣାସ୍ତ୍ର ଦେଖାଇ ୬ ଜଣ ଦୁର୍ବୃତ୍ତ ୭୦ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ ଉମରକୋଟ ଥାନା ଅନ୍ତର୍ଗତ ଚିକଲପଦର ପଞ୍ଚାୟତର କୋଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରୁ। ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ମୈଦଲପୁରର ଏକ ବ୍ୟବସାୟୀ ଘରୁ। ସୂଚନା ମୁତାବକ ମୈଦଲପୁର ସଦର ମହକୁମାରେ ଥିବା କାଶୀନାଥ ଗୁପ୍ତା ନାମକ ଏକ ବ୍ୟବସାୟୀ ଘରୁ ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କବାଟ ତାଡି ୬ ରୁ ୭ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘର ଭିତରେ ପଶିଥିଲେ। ତାଙ୍କୁ ମାଡ ମାରିବା ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଧମକଚମକ ଦେଇ ଘରେ ଥିବା ୨ଟି ଆଲମୀରା ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା, ୫ ତୁଳା ସୁନା ଅଳଙ୍କାର, ସୁନା ମୁଦି ସହ ଏକ କିଲୋ ରୁପା ଡକାୟତ କରିଥିଲେ। ଏନେଇ ସକାଳେ କାଶୀନାଥ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇ ଅଭିଯାନ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି।
