ନବବଧୂଙ୍କୁ ଅଧା ବାଟରେ ଅପହରଣ ଘଟଣା

ସୁବର୍ଣ୍ଣପୁର/କ୍ରାନ୍ତିକ୍ଷେତ୍ର : ନବବଧୂକୁ ବନ୍ଧୁକ ମୁନରେ ଉଠାଇନେଇଥିବା ପ୍ରେମିକ ସଞ୍ଜୟ ସାହୁ ଗିରଫ। ପ୍ରେମିକା ରଶ୍ମି ସହ ସଞ୍ଜକୁ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଗିରଫ କଲା ସମ୍ବଳପୁର ପୋଲିସ। ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ କରି ଉଭୟଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ଉଭୟଙ୍କୁ ସୁବର୍ଣ୍ଣପୁର ପୋଲିସକୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ବଲାଙ୍ଗୀର କାମାକ୍ଷୀ ନଗରର ଜଣେ ଯୁବକ ବିବାହ ହେବାକୁ ବୌଦ୍ଧ ଜିଲା କଣ୍ଟାମାଳ ଥାନା କଣ୍ଟାମାଳ ରଥପଡାକୁ ବରଯାତ୍ରୀ ନେଇ ଯାଇଥିଲେ। ସେଠାରେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ନବବଧୂକୁ ନିଜ ଡେକୋରେଟିଭ କାରରେ ଧରି ଖୁସି ମନରେ ଘରକୁ ଫେରୁଥିବାବେଳେ ବାଟରେ ଘଟିଥିଲା ଅଘଟଣ। ତରଭା ନିକଟରେ କିଛି ଯୁବକ ତାଙ୍କ କାରକୁ ଅଟକାଇଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନବବଧୂକୁ ଅପହରଣ କରି ନେଇ ଚମ୍ପଟ ମାରିଥିଲେ। ଏନେଇ ବରପକ୍ଷ ତରଭା ଥାନାକୁ ଆସି ଅଭିଯୋଗ କରିଥିଲେ। ଅପହରଣ କରିଥିବା ଯୁବକ ଜଣକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାଟି ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।