ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ସରକାରୀ କାମ ଗୁଡିକ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗେଇ କାର୍ଯ୍ୟ ଆରମ୍ଭ କରିବାକୁ କଢ଼ା ନିର୍ଦ୍ଦେଶ ରହିଥିଲେ ହେଁ, ପ୍ରଶାସନିକ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ସରକାରଙ୍କ ନିୟମକୁ ଫୁ କରି ନିଜର ମନମୁଖୀ ଶାସନ ଚଳେଇଥିବା ସାଧାରଣରେ ଅଭିଯୋଗ ହେଉଛି। ବର୍ତ୍ତମାନ ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଳଗାଁ ପଞ୍ଚାୟତର ମହଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଚେରୀ ନିର୍ମାଣ କାର୍ଯ୍ୟ ପ୍ରଗତିରେ ରହିଥିବାବେଳେ କାର୍ଯ୍ୟ ଚାଲୁଥିବା ସ୍ଥାନରେ କୌଣସି ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଫଳରେ ଜନସାଧାରଣ କେତେ ଟଙ୍କାର କାମ କେଁଉ ବିଭାଗର କାମ ଏସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହାନ୍ତି। ପ୍ରକାଶ ଥାଉ କି, କିଛି ଦିନ ତଳେ ଖୋଦ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରିଗାଁ ବିଧାୟକ ନରସିଂହ ଭତରା ଜନସାଧାରଣଙ୍କ ଅଭିଯୋଗରେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗେଇବା ନିୟମ ରହିଛି ଓ ସବୁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବ ବୋଲି ପ୍ରତିକ୍ରିୟା ରଖିଥିଲେ ଓ ପ୍ରଶାସନକୁ ମଧ୍ୟ ବିନା ସୂଚନା ଫଳକରେ କାର୍ଯ୍ୟ ନକରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ହେଲେ ପ୍ରଶାସନ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ଥିବା ଯୋଗୁଁ ବିଧାୟକ ଓ ଶିକ୍ଷାମନ୍ତ୍ରୀଙ୍କ ଚେତାବନୀକୁ ମଧ୍ୟ ତୁଚ୍ଛ ମନେ କରାଯାଉଛି ବୋଲି ସାଧାରଣରେ ସମାଲୋଚନା ହେଉଛି। ଏନେଇ ମହଣ୍ଡି ବିଦ୍ୟାଳୟ ପାଚେରୀ କାର୍ଯ୍ୟର ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ସୂଚନା ଫଳକ ନଲଗାଯିବାର କାରଣ ପଚାରିବାରୁ ସେ ଏକ ଲକ୍ଷ ଟଙ୍କାର କାର୍ଯ୍ୟରେ ସୂଚନା ଫଳକ ଲଗେଇଲେ ଆମକୁ କଣ ଲାଭ ମିଳିବ ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି କି, ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତ ରହିଥିବା ଅନୁମାନ ହେଉଛି। ଏନେଇ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ଘଟଣା ସମ୍ପର୍କରେ ଫୋନରେ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା ହେଲେ ଫୋନ ଉଠେଇ ନଥିଲେ। ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ଅଧିକାରୀ ଓ ଠିକାଦାର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣଲୋକେ ଦାବୀ ହୋଇଛି।
