ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା ଗୁମ୍ମା ଘାଟିରେ କାଠ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଓ ହେଲଫର୍ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ କୋରାପୁଟ ଜିଲ୍ଲା ବରିଗୁମାଠାରୁ କାଠ ବୋଝେଇ ଜେକେପୁର ଅଭିମୁଖେ ଯାଉଥିବା ଏହି ଟ୍ରକ୍ ଭାରସାମ୍ୟ ହରାଇ ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ ଟ୍ରକ ଡ୍ରାଇଭର ଓ ହେଲଫର ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାସ୍ଥଳରେ କୁମ୍ବିକୋଟା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
