ରାଜୀବ ଗାନ୍ଧୀ ପଞ୍ଚାୟତୀରାଜ ସଂଗଠନ ତରଫରୁ “ମନରେଗା ବଞ୍ଚାଅ” ଅଭିଯାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) କୁ କେନ୍ଦ୍ରରେ ବର୍ତ୍ତମାନର ବିଜେପି ସରକାର ପରିବର୍ତ୍ତନ କରି ନୂତନ ନାମ ଦେଇଛନ୍ତି। ଏହି ଆଇନକୁ ବର୍ତ୍ତମାନ “ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା” (VBGRAMG) କିମ୍ବା ସମସ୍ତ ବିକଶିତ ଭାରତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ଭାବେ ପରିଚିତ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦ୍ୱାରା ୨୦୦୫ରେ ପ୍ରଣୟନ ହୋଇଥିବା ଏହି ଐତିହାସିକ ଆଇନ ଗ୍ରାମାଞ୍ଚଳର ଗରିବ ଓ ଶ୍ରମିକ ବର୍ଗଙ୍କୁ ବର୍ଷକୁ ୧୦୦ ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରିବା ସହ ବିସ୍ଥାପନ ଓ ଗରିବୀ ନିବାରଣ କରିବାକୁ ମୁଖ୍ୟ ଉଦ୍ଦେଶ୍ୟ ରଖିଥିଲା। ଏହି ଯୋଜନା ମାଧ୍ୟମରେ ଗ୍ରାମବାସୀମାନେ ନିଜ ଗାଁ ଓ ପଞ୍ଚାୟତରେ ରାସ୍ତାଘାଟ ନିର୍ମାଣ, ପୋଖରୀ ଖୋଳା, ଜମି ସଂରକ୍ଷଣ, ବଗିଚା ବିକାଶ, ଆଡ଼ି ବନ୍ଧ ନିର୍ମାଣ ଆଦି ବିଭିନ୍ନ ଉପଯୋଗୀ କାର୍ଯ୍ୟରେ ନିଯୁକ୍ତ ହୋଇପାରୁଥିଲେ। ଶ୍ରମିକମାନେ କାମ ପାଇଁ ଦାବି କଲେ ତୁରନ୍ତ ସେହି ସ୍ଥାନରେ କାର୍ଯ୍ୟ ସୃଷ୍ଟି ହେଉଥିଲା। ଗ୍ରାମ ସ୍ତରରେ ଗାଁସାଥୀ ଏବଂ ପଞ୍ଚାୟତରେ ଗ୍ରାମରୋଜଗାର ସେବକ ନିୟୋଜିତ ରହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିଲେ। କେନ୍ଦ୍ର ସରକାର ୧୦୦ ପ୍ରତିଶତ ଅର୍ଥ ଯୋଗାଇବା ସହ କାମ ନ ମିଳିଲେ ବେକାର ଭତ୍ତା ଏବଂ ବିଳମ୍ବ ହେଲେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ଥିଲା। ଏହା କଂଗ୍ରେସ ସରକାରର ଏକ ବଡ଼ ଉପଲବ୍ଧି ଭାବେ ପରିଗଣିତ ହୋଇଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ରରେ ବିଜେପି ସରକାର କେବଳ ନାମ ପରିବର୍ତ୍ତନ କରିନାହାନ୍ତି ବରଂ ଶ୍ରମିକମାନଙ୍କର କାମର ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ନୂତନ ବ୍ୟବସ୍ଥାରେ ଶ୍ରମିକମାନେ କାମ ପାଇଁ ସ୍ୱତଃ ଦାବି କରିପାରିବେ ନାହିଁ, ଗାଁସାଥୀ ଓ ଗ୍ରାମରୋଜଗାର ସେବକମାନଙ୍କର ଭୂମିକା ହ୍ରାସ ପାଇଛି। କେନ୍ଦ୍ର ସରକାର ମାତ୍ର ୬୦ ପ୍ରତିଶତ ଅର୍ଥ ଯୋଗାଇବେ ଏବଂ ରାଜ୍ୟକୁ ୪୦ ପ୍ରତିଶତ ଭାର ନେବାକୁ ପଡ଼ିବ। ଚାଷ ଋତୁରେ ତିନି ମାସ କାମ ବନ୍ଦ ରହିବ ଏବଂ ଗ୍ରାମରେ କଣ କାମ ହେବ ତାହା ଉପରୁ ନିର୍ଦ୍ଦିଷ୍ଟ ହେବ। ଏହି ପରିସ୍ଥିତିରେ ସାରା ଦେଶରେ କଂଗ୍ରେସ ଦଳ “ମନରେଗା ବଞ୍ଚାଅ” ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜୀବ ଗାନ୍ଧୀ ପଞ୍ଚାୟତୀରାଜ ସଂଗଠନ ତରଫରୁ ଏହି ଅଭିଯାନ ଜୋରଦାର ଭାବେ ଚାଲିଛି। ଏହାର ଉଦ୍ଦେଶ୍ୟ ହେଉଛି ଶ୍ରମିକ ଓ ଜନସାଧାରଣଙ୍କୁ ସଚେତନ କରିବା ଏବଂ ମନରେଗାକୁ ପୁଣିଥରେ ପୂର୍ଣ୍ଣକ୍ଷମ କରିବା। ଏହି ପରିପେକ୍ଷିରେ କଳମପୁର ବ୍ଲକ ଆବାହକ ପଦ୍ମକିଶୋର ନାଏକଙ୍କ ନେତୃତ୍ୱରେ କଲମପୁର ବ୍ଲକର ଅନେକ ଗ୍ରାମପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଞ୍ଚଳର ଜନସାଧାରଣଙ୍କୁ ଏହି ଯୋଜନାର ଗୁରୁତ୍ୱ ଓ ବର୍ତ୍ତମାନର ପରିବର୍ତ୍ତନର ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଗ୍ରାମୀଣ ଶ୍ରମିକମାନଙ୍କର ଅଧିକାର ରକ୍ଷା ପାଇଁ ସଂଗଠନ ପ୍ରତିବଦ୍ଧ ରହିଛି।