ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ 

ନର୍ଲା/କ୍ରାନ୍ତିକ୍ଷେତ୍ର : ନର୍ଲା ଥାନା ଅଧିନସ୍ଥ ବାଗପୁର ଗ୍ରାମର ଜଣେ ବୃଦ୍ଧଙ୍କୁ ଆଜି ପୂର୍ବାହ୍ନରେ ଦନ୍ତା ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ବାଗପୁର ଗ୍ରାମର ଗଣ୍ଠି ମାଝୀ (୬୧) ବୋଲି ଜଣାପଡ଼ିଛି। ଏହି ଖବର ପାଇ ରେଞ୍ଜ ଅଧିକାରୀ, ଫରେଷ୍ଟର, ଫରେଷ୍ଟ ଷ୍ଟାଫ, ପୋଲିସ ବଳ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ମୃତ ଗଣ୍ଠି ସବୁଦିନ ଭଳି ସକାଳୁ ଗାଁ ଶେଷ ମୁଣ୍ତରେ ରହିଥିବା ନିଜ ଜମିକୁ ଯାଇ କିଛି କାମ କରୁଥିଲେ। ଏହି ସମୟରେ ହାତୀ ଆସି ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ’ ବୋଲି ନର୍ଲା ଫରେଷ୍ଟର ଭବାନୀ ନାଏକ କହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୫ ବର୍ଷ ହୋଇଗଲା ନର୍ଲାର ବାଗପୁର, ଭଟାଙ୍ଗ, ତିତକେଲା, ଭଟାଖମାର, କମେ ଗାଁ ପ୍ରଭୃତି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଛି। ଧାନ ଚାଷ ଆରମ୍ଭ ହେବା ସମୟରୁ ହାତୀ ଆସିଲେ ଗାଁ ନିକଟସ୍ଥ ଜଙ୍ଗଲ ମାନଙ୍କୁ ରହି ଯାଉଛନ୍ତି। ଏବଂ ବିଭିନ୍ନ କ୍ଷୟ କ୍ଷତି କରୁଛନ୍ତି।