ମଙ୍ଗଳପୁର ଉଠା ଜଳସେଚନ ପ୍ରକଳ୍ପରେ ଅଚଳାବସ୍ଥା, ଦୁଇ ଦିନ ହେଲା ଜଳ ଯୋଗାଣ ବନ୍ଦ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ସ୍ଥିତ ଉଠା ଜଳସେଚନ ପ୍ରକଳ୍ପରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗତ ଦୁଇ ଦିନ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ଧାନ ରୁଆ ସମୟ ହୋଇଥିବାବେଳେ ପାଣି ଅଭାବରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ‘ଏଲଏଣ୍ଡଟି’ ସଂସ୍ଥା ହାତରେ ରହିଥିଲା। ଗତ ଡିସେମ୍ବରରେ ୫ ବର୍ଷିଆ ଅବଧି ଶେଷ ହୋଇଥିଲେ ସୁଦ୍ଧା କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଆଗାମୀ ୧୦ ବର୍ଷ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ହଠାତ୍ ଜଳ ଯୋଗାଣ ବନ୍ଦ ହେବା ପଛରେ କେଉଁ ରହସ୍ୟ ରହିଛି। ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀମାନେ ‘ମରାମତି କାର୍ଯ୍ୟ’ ଚାଲିଥିବା ଦର୍ଶାଉଥିଲେ ମଧ୍ୟ ଚାଷୀମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। କୌଣସି ବଡ଼ ଧରଣର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି କରାଯାଉଛି କି ବୋଲି ସନ୍ଦେହ ପ୍ରକାଶ ପାଇଛି।ଶନିବାର ଓ ରବିବାର ଜଳ ଯୋଗାଣ ବନ୍ଦ ପରେ ସୋମବାର ସନ୍ଧ୍ୟାରେ ପାଣି ଛାଡିଥିବା ବିଭାଗୀୟ ଅଧିକାରୀ କହିଛନ୍ତି।