ସାଧାରଣ ଲୋକଙ୍କୁ ମିଳୁନି ସୁବିଧା, ଫାଇଲ୍ ତଳେ ଚାପି ହୋଇ ରହିଛି ଗରିବଙ୍କ ସ୍ଵପ୍ନ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ସରକାର ପ୍ରଶାସନିକ ସେବାକୁ ଲୋକଙ୍କ ‘ହାତ ପାହାନ୍ତା’ରେ ପହଞ୍ଚାଇବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଜୟପାଟଣା ତହସିଲ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ସାଧାରଣ ଜନତା ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଛୋଟ ଛୋଟ କାଗଜପତ୍ର କାମ ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅଧିକାରୀଙ୍କ ପ୍ରତିଶ୍ରୁତିରେ କଟୁଛି ଦିନ। ତହସିଲ କାର୍ଯ୍ୟାଳୟକୁ କାମ ପାଇଁ ଆସୁଥିବା ଲୋକଙ୍କୁ ଅଧିକାରୀମାନେ ‘ଆଜି ହେବ, କାଲି ହେବ’ କହି ଦିନ ପରେ ଦିନ ଗଡ଼ାଇ ଚାଲିଥିବାରୁ ଲୋକମାନେ ନିଜ ଘରୁ ତହସିଲକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ବିଶେଷ କରି ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ, ଜଣେ ଗରିବ ଚାଷୀ ନିଜର ଚାଷ କାମ ଛାଡ଼ି ସରକାରୀ ଅଫିସ ଚକ୍କର କାଟି କ୍ଲାନ୍ତ ହୋଇପଡୁଛନ୍ତି। ତହସିଲରେ କାମ ନହେବା ପଛରେ କେଉଁ କାରଣ ରହିଛି? କାର୍ଯ୍ୟବ୍ୟସ୍ତତା ନା ଅଧିକାରୀଙ୍କ ମନମୁଖୀ ଶାସନ ଚାଲିଛି ବୋଲି ସାଧାରଣ ଲୋକେ ଆଲୋଚନା କରୁଥିବା ସୁଣିବାକୁ ମିଳୁଛି।