ମଙ୍ଗଳ ବିଭାଗ ହଷ୍ଟେଲରେ ଛାତ୍ରୀ ମୃତ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ। ଗତ ରାତିରେ ହଠାତ ଗୀତାର ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ଭତି କରିବା ପୂର୍ବରୁ ଗୀତାର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ମୃତ ଗୀତାର ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଲା ସଂଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା ଏବଂ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପ୍ରଧାନଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଛାତ୍ରୀ ଜଣଙ୍କ ଘର ବିଦ୍ୟାଳୟ ହଷ୍ଟେଲ ଠାରୁ ମାତ୍ର ତିନି କିଲୋମିଟର ହୋଇଥିବା ବେଳେ ଝିଅର ଅସୁସ୍ଥତା ସଂପର୍କରେ ପରିବାରବର୍ଗଙ୍କୁ ପ୍ରଧାନଶିକ୍ଷକ କୌଣସି ସୂଚନା ଦେଇନଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। ଝିଅ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଥିଲା ବୋଲି ପରିବାର ପ୍ରକାଶ କରିଛନ୍ତି। ଏମିତିକି ମୃତ ଝିଅର ଅସୁସ୍ଥତା ଖବର ଶୁଣିବା ପରେ ଝିଅର ବାପା ମା ଝିଅକୁ ଦେଖିବାକୁ ଯାଇଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋଲା ବାମନ ମୂର୍ତ୍ତି ସାକ୍ଷାତ କରିବାକୁ ଦେଇ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।