ଜୟପାଟଣା ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସରରେ ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ “ଭୀମଭୋଇ ସାମର୍ଥ୍ୟ ଶିବିର” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୨ ଜଣ ହିତାଧିକାରୀ ଯୋଗ ଦେଇଥିଲେ। ଶିବିରରେ ଉପସ୍ଥିତ ଥିବା ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ପରୀକ୍ଷା କରିଥିଲେ। ଏହି ଡାକ୍ତରୀ ଦଳରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରମଥେଶ କଶ୍ୟପ ପଣ୍ଡା, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଚେତୁରାମ ମେହେର, ଇଏନଟି (କାନ, ନାକ, ଗଳା) ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା ଏବଂ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଲୋପାମୁଦ୍ରା ବିଶି ପ୍ରମୁଖ ସାମିଲ ଥିଲେ। ଏଥିସହ ଅଡିଓଲୋଜିଷ୍ଟ ଆରାଧନା ବେହୁରା, ଫିଜିଓଥେରାପିଷ୍ଟ ଡାକ୍ତର ସମ୍ବିତ ସ୍ୱରୂପ ପଣ୍ଡା ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।ହିତାଧିକାରୀମାନଙ୍କୁ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ପରବର୍ତ୍ତୀ ସମୟରେ ପେନସନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ତିନି ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ମଧ୍ୟ ପ୍ରଦାନ କରାଯାଇଛି। ଶିବିରରେ ବ୍ଲକ ପ୍ରଶାସନର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।