ନିଆଁ ଲାଗି ଜଳିଗଲା ପରିବା ଦୋକାନ

।। କ୍ରାନ୍ତିକ୍ଷେତ୍ର ।। କୋକସରା : ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ମୁଖ୍ୟ ଛକ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିବା ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାନୁସାରେ, ଗ୍ରାମର ଶାନ୍ତିଲତା ସୁନା ଦୀର୍ଘ ବର୍ଷ ହେବ ରାସ୍ତା ପାର୍ଶ୍ୱରେ ଏକ ଦୋକାନ କୁଡ଼ିଆ କରି ଫଳ ମୂଳ ଓ ପନିପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଗୁରୁବାର ରାତିରେ ହଟାତ ତାଙ୍କ ଦୋକାନ କୁଡ଼ିଆରେ ନିଆଁ ଲାଗି ଯାଇଥିଲା। ତେବେ ପରିବାର ଲୋକେ ନିଆଁ ଲିଭାଇବାକୁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ନିଆଁଟି ସମ୍ପୂର୍ଣ ଅଣାୟତ ହେବାରୁ ସେମାନେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଥିଲେ। ହେଲେ ନିଆଁରେ ପୋଡ଼ି ଦୋକାନ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଯାହା ଫଳରେ ଦୋକାନ କୁଡ଼ିଆ ଭିତରେ ଥିବା ସମସ୍ତ ଫଳ ମୂଳ, ପନିପରିବା ତଥା ବହୁ ମୂଲ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ଆମପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ। ଶାନ୍ତିଲତାଙ୍କ ସ୍ଵାମୀ ଭୁବନେଶ୍ଵର ସୁନାଙ୍କ ପକ୍ଷାଘାତ ହେବା ପରେ ସେ ଏହି ଦୋକାନର ଭରଷା କରି ନିଜ ପରିବାର ପ୍ରତି ପୋଷଣ କରୁଥିଲେ। ଦୋକାନରେ ନିଆଁ ଲାଗିବା ପରେ ବର୍ତ୍ତମାନ ସେ ବେରୋଜଗାର ହୋଇ ଭାଙ୍ଗି ପଡିଛନ୍ତି। ତେଣୁ ଶାନ୍ତିଲତା କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।