ବଡ଼ପୋଡ଼ାଗୁଡ଼ାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଆଜି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି।‌ ସକାଳ ୮.୩୦ ସମୟରେ ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଲଲିତ ମୋହନ ନାଏକଙ୍କ ନେତୃତ୍ୱରେ ଉପ-ସଭାପତି ଘନଶ୍ୟାମ ବେମାଲ, ସମ୍ପାଦକ ଦେବେନ୍ଦ୍ର ଧଙ୍ଗଡାମାଝୀ, ସହ-ସମ୍ପାଦକ ରୁତୁରାମ ପ୍ରଧାନୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦାସ, ଗ୍ରାମ୍ୟ ପୁଝାରୀ ଭୁଦେବ ପୁଝାରୀ, ସମେତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପଣ୍ଡିତ ଦିଲ୍ଲୀପ କୁମାର ଯୋଷୀ ପୂଜାକାର୍ଯ୍ୟ ସମ୍ପାଦନ କରି ନାମଯଜ୍ଞ କର୍ତ୍ତା ନିଲାମ୍ବର ଦାସ ଓ ତାଙ୍କ ଧର୍ମପତ୍ନୀ ରୁବି ଦାସଙ୍କ କର କମଳରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ଷୋହଳ ପ୍ରହର ନାମଯଜ୍ଞ ଆସନ୍ତା ୧୪/୩ ଶନିବାର ଦିନ ଅପରାହ୍ନରେ କଳସଯାତ୍ରା ଓ ଅଧିବାସ କାର୍ଯ୍ୟ ହେବାକୁ ରହିଥିବାବେଳେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଛି। ୧୭ ତାରିଖରେ ନମଃ ସମାପନ ସହ ନଗର ପରିକ୍ରମା, ଦହିହାଣ୍ଡି ଭଗ୍ନ ଆଦି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ନାମଯଜ୍ଞ ସଂକୀର୍ତ୍ତନ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ (ଅନ୍ନଛତ୍ର) ମଧ୍ୟ ବ୍ୟବସ୍ଥା କରାଯାଇଛି। ନାମଯଜ୍ଞ ନିମନ୍ତେ ବଡ଼ପୋଡ଼ାଗୁଡ଼ା ଗ୍ରାମର ତିନୋଟି ସଂକୀର୍ତ୍ତନ ମଣ୍ଡଳୀ ସହ କଳାହାଣ୍ଡି ଜିଲ୍ଲା ଓ ପଡ଼ୋଶୀ ନୂଆପଡ଼ା, ବଲାଙ୍ଗୀର ଆଦି ଜିଲ୍ଲାରୁ ସମୁଦାୟ ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦିଆଯାଇଛି। ଆଜି ଏହି ଶୁଭ ସ୍ତମ୍ଭ ସ୍ଥାପନ ସମୟରେ ଗ୍ରାମର ନନ୍ଦ ପ୍ରଧାନୀ, ମନ୍ମଥ ଦାସ, ଝସକେତନ ହଂସ, ଯୁବରାଜ ପ୍ରଧାନୀ, ଗଜାନନ ନାଏକ, ବୈବଚନ୍ଦ୍ର ଧଙ୍ଗଡାମାଝୀ, ଧର୍ମାନନ୍ଦ ହଂସ, ଧବଲେଶ୍ୱର ରାଉତ, ସୁବାଷ କରୁଆଁ, ଭୁବନେଶ୍ୱର ବାରିକ, ଯମୁନା ମାଝୀ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହିଥିଲେ।