ଝରିଗାଁ-ଚନ୍ଦାହାଣ୍ଡି ଘାଟି ପ୍ରଶସ୍ତିକରଣ ପାଇଁ ବିଧାନସଭାରେ ପ୍ରସ୍ତାବ ରହିଲେ ବିଧାୟକ 

ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : ବିଧାନସଭାର ଷଷ୍ଠ ଅଧିବେଶନ ଚାଲିଥିବାବେଳେ ଗତକାଲି ଝରିଗାଁ ବିଧାୟକ ନରସିଂ ଭତରା ଅଧିବେଶନରେ ଝରିଗାଁ-ଚନ୍ଦାହାଣ୍ଡି ଘାଟି ପ୍ରଶସ୍ତିକରଣ ପାଇଁ ପ୍ରସ୍ତାବ ରଖିଥିଲେ। ଝରିଗାଁ-ଚନ୍ଦାହାଣ୍ଡି ରାସ୍ତାର ମଧ୍ୟ ଭାଗରେ ଏକ ଘାଟି ପଡୁଛି, ଯାହାକି ଚନ୍ଦାହାଣ୍ଡି ଘାଟି ଭାବେ ଅଞ୍ଚଳରେ ବେସ ପରିଚିତ ଘାଟି ରାସ୍ତାର ପ୍ରାୟ ୩ କିଲୋମିଟର ଅତି ବିପଦ୍ଜନକ ରହିଛି ଓ ଏହି ଘାଟିରେ ଅନେକ ସମୟରେ ଲୋକଙ୍କ ପ୍ରାଣହାନି ହେଉଛି। ବର୍ତମାନ ଉମରକୋଟ ଠାରୁ ଚନ୍ଦାହାଣ୍ଡି ପର୍ଯ୍ୟନ୍ତ ୮୦କିମି ରାସ୍ତା ପିଡବ୍ୟୁଡି ଅଧୀନରେ ରାସ୍ତାର ଉନ୍ନତିକରଣ ସାଙ୍ଗକୁ ପ୍ରଶସ୍ତିକରଣ ଚାଲିଛି। ହେଲେ ପରିତାପର ବିଷୟ ଘାଟି ରଖିଥିବା ୩କିମି ରାସ୍ତା ଯେଉଁଠାରେ କି ଅଧିକାଂଶ ଦୁର୍ଘଟଣା ଘଟୁଛି, ସେହି ଜାଗାକୁ ବାଦ ଦିଆଯାଇଛି ଓ ଅନ୍ୟ ସମସ୍ତ ରାସ୍ତାର ପ୍ରଶସ୍ତିକରଣ ହେଉଛି। ଏଣୁ ଅଞ୍ଚଳବାସୀଙ୍କ ସୁଗମ ଯାତାୟାତ ପାଇଁ ୩କିମି ରାସ୍ତାର ପ୍ରଶସ୍ତିକରଣ କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ବିଧାୟକ କହିବା ସହିତ ଚଳିତ ବର୍ଷ କାର୍ଯ୍ୟ ଆରମ୍ଭ କଲେ ଭଲ ହୁଅନ୍ତା ବୋଲି ଶ୍ରୀଭତରା ବାଚସ୍ପତିଙ୍କ ଜରିଆରେ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛନ୍ତି। ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଘାଟି ପ୍ରସଙ୍ଗ ଉପସ୍ଥାପନା କରିଥିବାରୁ ଅଞ୍ଚଳବାସୀ ଶ୍ରୀଭତରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।