ରାୟଗଡ/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଅନାସ୍ତା ଭୋଟରେ ହାରିଲେ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ କୁମାର ଜେନା। ନିର୍ବାଚନରେ ୨୪ ଜଣଙ୍କ ମଧ୍ଯରେ ୨୧ ଜଣ କାଉନସିଲର ଭୋଟ ଦେଇଥିଲେ। ତେବେ ୧୯ଜଣ କାଉନସିଲର ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଭୋଟ ଦେଇଥିଲେ। ଗତ ବର୍ଷ ନଭେମ୍ବର ୨୪ରେ ଅନାସ୍ଥାକୁ ନେଇ ଗଣତି ହୋଇଥିଲା। ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ତେବେ ଏହାପରେ ଗତ ଫେବୃୟାରୀ ୨୩ ତାରିଖରେ ରୋକ୍ ହଟାଇବା ସହିତ ଫଳାଫଳ ଘୋଷଣା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟ ପ୍ରକାରେ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା ହୋଇଛି। ଆଜି ଗଣତି ବେଳେ ସମସ୍ତ କାଉନସିଲର ଉପସ୍ଥିତ ରହିଛନ୍ତି। ଗଣତି ପ୍ରକୋଷ୍ଠରେ ଉପଜିଲ୍ଲାପାଳ ଜେନାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି। ପୌର ପରିଷଦ କାର୍ଯ୍ୟାଳୟରେ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶ ଥାଉକି, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଅନେକ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ରାୟଗଡ଼ା ପୌର ପରିଷଦର ୧୯ ଜଣ କାଉନସିଲର ଏକକାଳୀନ ବିଜେଡ଼ି ଛାଡ଼ିଥିଲେ। ଏହାପରେ ରାୟଗଡ଼ା ପୌର ପରିଷଦର ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ବିଜେଡ଼ିର ୧୯ ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ଓ ମନମୁଖୀ କାର୍ଯ୍ୟକଳାପ ନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଏହାପରେ ବିଧିବଦ୍ଧ ଭାବେ ପ୍ରକ୍ରିୟା କରାଯାଇ ଅକ୍ଟୋବର ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା। ଏଥିରେ ବିଜେଡ଼ିର ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟିଂ କରିଥିଲେ। ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ଦ୍ୱାରା ହାଇକୋର୍ଟରେ ଅନାସ୍ଥା ବିରୋଧରେ ହୋଇଥିବା ଆବେଦନ ପ୍ରକାରେ ଉକ୍ତ ଦିନ ହାଇକୋର୍ଟ ଗଣତି ଉପରେ ରହିତାଦେଶ ଜାରି କରିବା ସହ ଫଳାଫଳ ଘୋଷଣା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଫଳାଫଳ ଘୋଷଣା କୁ ନେଇ ପୁଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଥିଲା। ଶୁଭ୍ରା ପଣ୍ଡା ଅନାସ୍ଥାରେ ହାରିବା ପରେ ଏନ୍ ଭାସ୍କର ରାଓଙ୍କ ୧୯ ଜଣ କାଉନସିଲର ବାଣ ଫୁଟାଇ ସେଲିବ୍ରେସନ କରିଥିଲେ।
