ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଲା ୩ଟି ବଡ଼ ସର୍ତ୍ତ। ଅଧିକାରର ସ୍ୱୀକୃତି ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ ନଚେତ୍ “ହମ୍ ତୋ ଡୁବେଙ୍ଗେ ସନମ୍, ତୁହ୍ମେ ଭି ଲେ ଡୁବେଙ୍ଗେ”ନୀତି ଆପଣେଇବ। ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ରୁଷିଆ ଏବଂ ପାକିସ୍ତାନ ନେତାଙ୍କ ସହ କଥା ହେଲେ ପେଜେସ୍କିଆନ୍।
କ୍ରାନ୍ତିକ୍ଷେତ୍ର/ଜଗମୋହନ ପଟ୍ଟନାୟକ : ଇରାନ-ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି। ଏହି ସମୟରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଯୁଦ୍ଧ ବନ୍ଦ କରିବା ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଏହି ଯୁଦ୍ଧ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଆରମ୍ଭ କରାଯାଇଛି ଏବଂ ଏହାକୁ ଶେଷ କରିବାର କେବଳ ୩ଟି ରାସ୍ତା ରହିଛି। ପ୍ରଥମେ ଇରାନର ବୈଧ ଅଧିକାରକୁ ସ୍ୱୀକୃତି ଦେବାକୁ ହେବ। ଦ୍ୱିତୀୟରେ, ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ କ୍ଷତିପୂରଣ ଦେବାକୁ ପଡ଼ିବ। ଆଉ ତୃତୀୟରେ, ଭବିଷ୍ୟତରେ ଇରାନ ଉପରେ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ବିଶ୍ୱ ସ୍ତରରେ ଗ୍ୟାରେଣ୍ଟି ଦେବାକୁ ପଡ଼ିବ। ପେଜେସ୍କିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ସେ ରୁଷ ଏବଂ ପାକିସ୍ତାନର ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଇରାନ ସର୍ବଦା ପ୍ରସ୍ତୁତ ବୋଲି ଦୋହରାଇଛନ୍ତି। ଇରାନ ରାଷ୍ଟ୍ରପତିଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଯୁଦ୍ଧ ରୋକିବା ପାଇଁ କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ସମୟରେ, ରୁଷ ଇରାନ ନେତୃତ୍ୱଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି ଏବଂ ସେମାନଙ୍କୁ ସଂଘର୍ଷ ସମାପ୍ତ କରିବାକୁ ଅନୁରୋଧ କରୁଛି। ପେଜେସ୍କିଆନ୍ ସ୍ପଷ୍ଟ କରିଛନ୍ତି ଯେ ଇରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ, କିନ୍ତୁ ଆମେରିକା ଏବଂ ଇସ୍ରାଏଲ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଇରାନର ଏହି ଆଭିମୁଖ୍ୟ ପ୍ରଶ୍ନ ଉଠାଇଛି ଯେ ଇରାନ କିପରି ଏତେ ଜୋରଦାର ଭାବରେ ନିଜର ସ୍ଥିତି ଜାହିର କରୁଛି। ମଧ୍ୟପ୍ରାଚ୍ୟ ବ୍ୟାପାର ବିଶେଷଜ୍ଞ କବୀର ତନେଜା କୁହନ୍ତି ଯେ ଏହା ପଛରେ ତିନୋଟି ପ୍ରମୁଖ କାରଣ ଥାଇପାରେ। ପ୍ରଥମ କାରଣ ହେଉଛି ବିଚାରଧାରା ଶକ୍ତି ଦିଏ…ବିଶେଷଜ୍ଞଙ୍କ ମତରେ, ଆମେରିକୀୟ ବିରୋଧୀ ମନୋଭାବ ଇରାନ ବିପ୍ଳବର ମୂଳ ନୀତି ମଧ୍ୟରୁ ଗୋଟିଏ। ଯୁଦ୍ଧ ହେଲେ, ଏହି ଚିନ୍ତାଧାରା ସରକାରଙ୍କୁ ଆହୁରି ମଜବୁତ କରିପାରେ। ଏହା ୧୯୮୯ ବିପ୍ଳବ ପରଠାରୁ ଉଠାଯାଇଥିବା ଆମେରିକୀୟ ବିରୋଧୀ ସ୍ଲୋଗାନଗୁଡ଼ିକୁ ମଧ୍ୟ ପୁନର୍ଜୀବିତ କରିପାରେ । ଦ୍ୱିତୀୟ କାରଣ ହେଉଛି ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିବା…ବିଶେଷଜ୍ଞମାନେ କହିଛନ୍ତି ଯେ’ ଦେଶର ସର୍ବୋଚ୍ଚ ଧାର୍ମିକ ନେତା ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ସମୟରେ ତାଙ୍କର ସ୍ଥିତିକୁ ଆହୁରି ମଜବୁତ କରିପାରିବେ। ଇରାନର ପୂର୍ବତନ ଲିଡର ଖାମିନେଇଙ୍କ ହତ୍ୟା ପରେ ସର୍ବୋଚ୍ଚ ନେତା ହୋଇଥିବା ମୋଜତବା ଖାମିନେଇ ଏହି ସୁଯୋଗକୁ ଦେଶ ଭିତରେ ବିଭିନ୍ନ ଗୋଷ୍ଠୀରୁ ସମର୍ଥନ ସଂଗ୍ରହ କରିବା ପାଇଁ ବ୍ୟବହାର କରିପାରିବେ। ତୃତୀୟ କାରଣ ହେଉଛି ସାମରିକ ସଂଗଠନର ବିଶ୍ୱସନୀୟତା ଉପରେ ପ୍ରଶ୍ନ… ତୃତୀୟ କାରଣ ଇରାନର ଶକ୍ତିଶାଳୀ ସୁରକ୍ଷା ବାହିନୀ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ସହିତ ଜଡିତ। ଏହି ସଂଗଠନ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, ବିଶେଷକରି ଆୟାତୋଲ୍ଲା ଖାମିନେଇଙ୍କ ହତ୍ୟା ପରେ। ବିଶେଷଜ୍ଞମାନେ କହିଛନ୍ତି ଯେ ସର୍ବୋଚ୍ଚ ନେତାଙ୍କ ଶକ୍ତିର କେନ୍ଦ୍ର ଭାବରେ, ଏହି ସଂଗଠନ ନିଜର ଶକ୍ତି ଏବଂ ପ୍ରଭାବ ବଜାୟ ରଖିବା ପାଇଁ ଯୁଦ୍ଧକୁ ଏକ ଅସ୍ତିତ୍ୱର ପ୍ରସଙ୍ଗ ଭାବରେ ଦେଖିପାରେ। ତେବେ ଇରାନର ଏହି ପ୍ରସ୍ତାବ ଉପରେ ଆମେରିକା ଏବଂ ଇସ୍ରାଏଲର ପ୍ରତିକ୍ରିୟା କ’ଣ ରହିବ, ତାହା ଉପରେ ଏବେ ସାରା ବିଶ୍ୱର ନଜର। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆମେରିକାର ଏହି ଯୁଦ୍ଧ ନୀତି ଆଗାମୀ ଦିନରେ ସମଗ୍ର ବିଶ୍ବ ବାସୀଙ୍କ ପାଇଁ ମଙ୍ଗଳ ସୂଚକ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସମଗ୍ର ଏସିଆ ମହାଦେଶର ଦେଶ ଗୁଡିକରେ ତୈଳ ଏବଂ ଗ୍ୟାସ ସଙ୍କଟ ଘାନେଇଲାଣି। ଆଗକୁ ଏହି ଯୁଦ୍ଧର ସମାଧାନ ନହେଲେ ସମଗ୍ର ବିଶ୍ୱରେ ଇନ୍ଧନ ଏବଂ ଆର୍ଥିକ ସଙ୍କଟ ଦେଖାଦେବ।
