କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କୁଲେରଗୁଡା-ଖୁରର୍ସେଲଗୁଡା ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଖୁର୍ସେଲଗୁଡ଼ା ଗ୍ରାମର ଈଶ୍ୱର ପାଳି(୨୪) ଓ ଗୁରୁତର ମାନେ ହେଲେ ପିପଲଝାପର ଗ୍ରାମର ଟୁନା ମାଝୀ(୨୫), ସୁଶାନ୍ତ ବେହେରା(୨୨), ପ୍ରେମଲାଲ ବାଗ(୧୮) ବୋଲି ଜଣାପଡ଼ିଛି। ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଈଶ୍ୱର ପାଳିଙ୍କ ମୃତ୍ୟୁ ଘଟିଥିଲା। ଟୁନା ମାଝୀ, ସୁଶାନ୍ତ ବେହେରା ଓ ପ୍ରେମଲାଲ ବାଗଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିଛି। ଗୁରୁବାର ମୃତକଙ୍କ ପରିବାର ଲୋକେ ଆମପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କୋକସରା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକେ ଶବ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
