ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ବାଗବନ୍ଧ ପୋଖରୀରୁ ଏକ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ଗାଁର କିଛି ପିଲା ମାଛ ଧରିବା ପାଇଁ ବାଗବନ୍ଧ ପୋଖରୀକୁ ଯାଇଥିବା ବେଳେ ଜାଲରେ କିଛି ଏକ ଭାରି ଜିନିଷ ଲାଗିଥିବାରୁ ପିଲାମାନେ ତାକୁ ବଡ଼ ମାଛ ଭାବି କୂଳକୁ ଟାଣି ଆଣିଥିଲେ। ମାତ୍ର ସେଠାରେ ଏକ ଗଳିତ ମଣିଷ ଜଙ୍ଘ ଦେଖିବାକୁ ପାଇ ସେମାନେ ଭୟଭୀତ ହୋଇ ପାଟି କରିଥିଲେ। ଖବର ପାଇ ଜୟପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଙ୍ଘଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଖରୀ ମଧ୍ୟରେ ଶରୀରର ଅନ୍ୟ ଅଂଶ ଅଛି କି ନାହିଁ, ସେ ନେଇ ମଧ୍ୟ ଖୋଜାଖୋଜି ଜାରି ରହିଛି।ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି, କାରଣ ଗତ ୭ ମାସ ତଳେ ଉକ୍ତ ଗାଁର ଅମୃତ ପୁଝାରି ନାମକ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ଜୟପାଟଣା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ମିଳିଥିବା ଏହି ଶରୀରର ଅଂଶଟି ସେହି ନିଖୋଜ ଯୁବତୀଙ୍କର କି ନୁହେଁ, ସେ ନେଇ ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି।
