ହକ୍ ପାଇଁ ରଣହୁଙ୍କାର ; ୮ ତାରିଖରେ କୋକସରା ଅଚଳ କରିବେ ଚାଷୀ

କୋକସରା/କ୍ରାନ୍ତିକ୍ଷେତ୍ର : ଧାନ ବିକ୍ରି ପଞ୍ଜୀକରଣ ପାଇଁ ବାରମ୍ବାର ଗୁହାରି ଓ ଦାବିପତ୍ର ପରେ ବି ସରକାର ନିରବ ରହିବାରୁ ଏବେ ଆରପାର୍ ପାର୍ ଲଢ଼େଇ ପାଇଁ ସଜବାଜ ହେଉଛି ଇନ୍ଦ୍ରାବତୀ ଉଠାଜଳସେଚନ ଚାଷୀ ସଂଘ। ଏନେଇ କୋକସରା ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଆନ୍ଦୋଳନ ପାଇଁ ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଆନ୍ଦୋଳନର ରୁପରେଖ ଉପରେ ଆଲୋଚନା କରାଯାଇଥିଲା। ଏବଂ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ପ୍ରାୟ ୧୨ ହଜାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆସନ୍ତା ୮ ତାରିଖରେ କୋକସରା ଠାରେ ଏକ ବିଶାଳ ଆନ୍ଦୋଳନ କରିବାକୁ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ଆନ୍ଦୋଳନରେ ସମସ୍ତ ସରକାରୀ, ବେସରକାରୀ ଅଫିସ ଓ ବିଭିନ୍ନ ଦୋକାନ ବଜାର ବନ୍ଦ କରିବା ସହ ଜାତୀୟ ଜଳପଥ କୁ ଅବରୋଧ କରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ରବି ଋତୁରେ ଚାଷୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ପାଣି ପାଇ ଚାଷ କରିଥିଲେ ସୁଦ୍ଧା ସରକାରଙ୍କ ପାତର ଅନ୍ତର ନୀତି ଓ ସରକାରୀ ଅବହେଳା ଯୋଗୁଁ ଚାଷୀଙ୍କ ନାମ ପୋର୍ଟାଲରେ ପଞ୍ଜୀକୃତ ହୋଇ ପାରିନାହିଁ। ଏଣେ ଧାନ ଅମଳ ହେବାକୁ ଥିବାବେଳେ ମଣ୍ଡି ସୁବିଧା ନମିଳିଲେ ଚାଷୀମାନେ କମ୍ ଦରରେ ଅଭାବୀ ବିକ୍ରିର ଶିକାର ହେବାର ଆଶଙ୍କା ରହିଛି। ପୂର୍ବରୁ ବହୁବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ସହ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ମଧ୍ୟ ଦାବିପତ୍ର ଦେଇଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳିଛି, ସମାଧାନ ନୁହେଁ। ତେଣୁ ଆମେ ଆମର ହକ୍ ମାଗୁଛୁ। ୮ ତାରିଖରେ ହେବାକୁ ଥିବା ଏହି ଆନ୍ଦୋଳନ ସେପର୍ଯ୍ୟନ୍ତ ଜାରି ରହିବ, ଯେପର୍ଯ୍ୟନ୍ତ ଶେଷ ଚାଷୀଟିର ପଞ୍ଜୀକରଣ ସମସ୍ୟା ଦୂର ନହୋଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଇନ୍ଦ୍ରାବତୀ ଉଠାଜଳସେଚନ ଚାଷୀଙ୍କ ଏହି ନିଷ୍ପତ୍ତି ସେମାନଙ୍କ ଧୈର୍ଯ୍ୟର ସୀମା ଅତିକ୍ରମ କରିଥିବା ସ୍ପଷ୍ଟ ସୂଚାଉଛି। ଯେତେବେଳେ ପ୍ରଶାସନିକ ସ୍ତରରେ ଶୁଣାଣି ହୁଏନାହିଁ, ସେତେବେଳେ ରାଜପଥ ହିଁ ଚାଷୀଙ୍କ ପାଇଁ ଶେଷ ଆଶା ପାଲଟେ। କୋକସରା ମାଟିରୁ ଉଠିବାକୁ ଥିବା ଏହି ସ୍ୱର ଏବେ ସମଗ୍ର ଅଞ୍ଚଳର ଚାଷୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଛି। ବ୍ୟାଙ୍କ, ସମବାୟ ଋଣ ଓ ଧାର କରଜରେ ବୁଡ଼ି ରହିଥିବା ଚାଷୀଙ୍କ ପାଇଁ ଏହି ୮ ତାରିଖ କେବଳ ଏକ ତାରିଖ ନୁହେଁ, ବରଂ ନିଜର ମେରୁଦଣ୍ଡକୁ ଭାଙ୍ଗିବାରୁ ବଞ୍ଚାଇବା ପାଇଁ ଏକ ସଂକଳ୍ପ ଦିବସ ବୋଲି କୁହାଯାଇଛି। ଯଦି ଶାସନ ବ୍ୟବସ୍ଥା ସମୟ ଥାଉଥାଉ ଚାଷୀଙ୍କ କଥା ନବୁଝେ, ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଅଧିକ ତୀବ୍ର ହେବାର ସମ୍ଭାବନା ରହିଛି। ସରକାରଙ୍କୁ ଏବେ ଚୟନ କରିବାକୁ ହେବ – ସେମାନେ ନିୟମର ଜଟିଳତା ଭିତରେ ଚାଷୀଙ୍କୁ ବାନ୍ଧି ରଖିବେ ନା ସେମାନଙ୍କ ଶ୍ରମର ସମ୍ମାନ ଦେବେ ତାହା ହିଁ ଦେଖିବାର ବାକି।

Leave a Reply

Your email address will not be published. Required fields are marked *