ଶୀତଳ ଭଣ୍ଡାରରେ ‘ଜଙ୍ଗଲ ଅଧିକାର’ ସେମେଲପଦର ବାସୀଙ୍କୁ ମିଳୁନି ନ୍ୟାୟ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମ ପଞ୍ଚାୟତର ସେମେଲପଦର ଗ୍ରାମରେ ‘ଜଙ୍ଗଲ ଅଧିକାର’ ଏବେ ମଧ୍ୟ କାଗଜରେ ଅଟକି ରହିଛି। ଦଶକ ଧରି ଏଠାରେ ବସବାସ କରୁଥିବା ଆଦିବାସୀ ପରିବାରମାନେ ଆଜି ପର୍ଯ୍ୟନ୍ତ ତାଙ୍କର ଆଇନସମ୍ମତ ଅଧିକାର ପାଇପାରିନାହାନ୍ତି। ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ୍ ପ୍ରଣୟନ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ଆଦିବାସୀ ଓ ବନବାସୀମାନଙ୍କୁ ତାଙ୍କର ପାରମ୍ପରିକ ଅଧିକାର ଫେରାଇବା। କିନ୍ତୁ ଆଇନ୍ ଲାଗୁ ହୋଇ ୨୦ ବର୍ଷ ହୋଇଯାଇଥିଲେ ସୁଦ୍ଧା ସେମେଲପଦର ଗ୍ରାମର ଲୋକମାନେ ଏହାର ସୁଫଳରୁ ବଞ୍ଚିତ ରହିଛନ୍ତି। ୨୦୨୪ ମସିହା ନଭେମ୍ବର ୨୦ ତାରିଖରେ ଚୁଡାନ୍ତ ଗ୍ରାମସଭା ବସି ୬୯ ଜଣ ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜମି ଅଧିକାର ସହିତ ୬୬୫.୫୨ ହେକ୍ଟର ଜଙ୍ଗଲ ଉପରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରକୁ ଅନୁମୋଦନ କରାଯାଇଥିଲା। ପରେ, ୧୮ ଡିସେମ୍ବର ୨୦୨୪ରେ ଥୁଆମୂଳ ରାମପୁର ତହସିଲଦାର ଏହି ଦାବିକୁ ଉପଖଣ୍ଡ ସ୍ତରୀୟ କମିଟିଙ୍କୁ ପଠାଇଥିଲେ। କିନ୍ତୁ ଏହାପରେ ୧୭ ମାସ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହାର ଅନୁମୋଦନ ଅନ୍ତିମ ପର୍ଯ୍ୟାୟକୁ ପହଞ୍ଚିପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି। ଗ୍ରାମବାସୀ ଏବଂ ଜଙ୍ଗଲ ଅଧିକାର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଯାଇ ମାମଲା ଉଠାଇଥିଲେ। ଜିଲ୍ଲାପାଳଙ୍କ ତରଫରୁ ଶୀଘ୍ର ସମାଧାନ ହେବ ବୋଲି ଆଶ୍ୱାସନ ମିଳିଥିଲେ ମଧ୍ୟ ତାହା ଅବଧି ପର୍ଯ୍ୟନ୍ତ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏହାର ଫଳରେ ୬୯ଟି ପରିବାର ଆଜି ମଧ୍ୟ ନିଜ ଅଧିକାର ପାଇଁ ଅପେକ୍ଷା କରୁଛନ୍ତି। ଏପରିକି ସେମେଲପଦର ସହିତ ବ୍ଲକର ତେତେଲପଦର ଓ ଚାଚିକନା ଭଳି ଅନ୍ୟ ଅଣସର୍ଭେ ଗ୍ରାମଗୁଡିକର ଅବସ୍ଥା ମଧ୍ୟ ଏକେରହିଛି। ଏହି ଗ୍ରାମଗୁଡିକ ଏପର୍ଯ୍ୟନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ପାଇପାରିନାହାନ୍ତି, ଯାହାର ଫଳରେ ମୌଳିକ ସୁବିଧା ଓ ସରକାରୀ ଯୋଜନା ଲାଭ ନେବାରେ ଅନେକ ବାଧା ସୃଷ୍ଟି ହେଉଛି। ତତ୍କାଳୀନ ଜିଲ୍ଲାପାଳଙ୍କ ସମୟରେ ଆରମ୍ଭ ହୋଇଥିବା ରାଜସ୍ୱ ଗ୍ରାମ ମାନ୍ୟତା ପ୍ରକ୍ରିୟା ବର୍ଷରୁ ବର୍ଷ ଧରି ସରକାରୀ ଅବହେଳା ଓ ଲାଲଫିତା ଶାସନରେ ଅଟକି ରହିଛି। ରାଜସ୍ୱ ପରିଷଦରୁ ଫେରିଆସିଥିବା ଫାଇଲଗୁଡିକୁ ସଂଶୋଧନ କରି ପୁନର୍ବାର ପଠାଇବାରେ ବିଳମ୍ବ ହେଉଥିବାରୁ ପ୍ରକ୍ରିୟା ଆଗକୁ ବଢ଼ୁନାହିଁ। ଜିଲ୍ଲାପାଳ ଓ ତହସିଲଦାରମାନଙ୍କ ପରିବର୍ତ୍ତନ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟା ଅପରିବର୍ତ୍ତିତ ରହିଛି। ଗ୍ରାମବାସୀମାନେ ଶୀଘ୍ର ଜଙ୍ଗଲ ଅଧିକାର ପ୍ରମାଣପତ୍ର ବଣ୍ଟନ କରିବା ସହିତ ସେମେଲପଦର, ତେତେଲପଦର ଓ ଚାଚିକନାକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଆଇନ୍ ଥିଲେ ମଧ୍ୟ ଯଦି ଲୋକଙ୍କୁ ତାଙ୍କର ଅଧିକାର ସମୟରେ ମିଳୁନାହିଁ, ତେବେ ସେହି ଆଇନ୍ର ଉଦ୍ଦେଶ୍ୟ ପୂରଣ ହେଉନାହିଁ—ସେମେଲପଦର ଗ୍ରାମର ଘଟଣା ଏହାର ଏକ ସ୍ପଷ୍ଟ ଉଦାହରଣ।

Leave a Reply

Your email address will not be published. Required fields are marked *