ମ.ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ଏମ ରାମପୁର ସହରରେ ଥିବା ୧୦୦ ଏକର ବିଶିଷ୍ଟ ହରିହର ସାଗର (ଜଳାଶୟ )ର ସୁରକ୍ଷା, ପୁନଃରୁଦ୍ଧର ପାଇଁ ହରିହର ସାଗର ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଜନ ଆନ୍ଦୋଳନ ଓ ବିକ୍ଷୋଭ ସ୍ଥାନୀୟ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି।ଏହି ସାଗରର ପାଣି ଉପରେ ସହରର ହଜାର ହଜାର ଜନ ସାଧାରଣ ପିଇବା, ରୋଷେଇ କରିବା ସହ ଗାଧୋଇବା ପାଇଁ ନିର୍ଭର କରୁଥିଲେ।କେବଳ ଏତିକି ନୁହେଁ ଏହି ସାଗରକୁ ବିଭିନ୍ନ ଅଂଚଳରୁ ଶହ ଶହ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିଲା ହେଲେ ଏବେ ଦେଖିବାକୁ ମିଳୁନି। ତା ସହିତ ଏହି ସାଗର ଉପରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ଏବେ ଚାଷ କରିବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ଦୀର୍ଘ ବର୍ଷ ହେଲା ଏହି ସାଗର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଲତା ରେ ପରିପୂର୍ଣ୍ଣ ହେଵା ସହ ହୋଟେଲ ପାଣି, ପାଇଖାନା ପାଣି ସାଗରରେ ମିଶୁଥିବାରୁ ଏବେ ତାହା ଲୋକଙ୍କ କାମରେ ଆସୁନାହିଁ। ଫଳରେ ଲୋକେ ସାଗରର ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସାଗର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଅଛି। ହେଲେ ଏହାର ପୁନଃରୁଦ୍ଧର ଓ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବରୁ ଆଜି ହରି ହର ସାଗର ବଞ୍ଚାଅ ସଂଗ୍ରାମ ସମିତିର ନେତୃତ୍ୱରେ ସ୍ଥାନୀୟ ଶହ ଶହ ମହିଳା ପୁରୁଷ ମିଶି ଜଳ ସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ତା ସହିତ ବିଭାଗୀୟ ଏସ ଡ଼ି ଓ ଜିତେନ୍ଦ୍ର କୁମାର ଖେସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏଥିରେ ଆନ୍ଦୋଳନ କାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକ ପ୍ରତିନିଧି ସତ୍ୟ ନାରାୟଣ ସାହୁ, ବିକାଶ ରଞ୍ଜନ ସିଂହ ଦେଓ,ଚିରାଗ ସିଂହ ଦେଓ, ପ୍ରଶାନ୍ତ କୁମାର ସାମନ୍ତରାୟ,, ବିଜେପି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, କଂଗ୍ରେସ ଦଳ ସଭାପତି ରୁଦ୍ର ପ୍ରତାପ ସିଂହ, ଉଦ୍ଧବ ପଣ୍ଡା,ପ୍ରଦୀପ କୁମାର ପାଣିଗ୍ରାହୀ,ଶିବ ପ୍ରସାଦ ସତପଥୀ ଚମରା ବଗର୍ତ୍ତି, ସତ୍ୟଜିତ ଚାଟର୍ଜି, ଆଦିବାସୀ ନେତା ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

