ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ଜନଶୁଣାଣୀ ସୂଚନା ପ୍ରକାଶ ପାଇବା ପରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ଦେଖାଯାଇଛି। ପ୍ରକଳ୍ପଟି ଥୁଆମୂଳ ରାମପୁର ଓ କାଶିପୁର ତହସିଲ ଅଧୀନର କୁଟ୍ରୁମାଳି, ଲେଲିଙ୍ଗପଦର, ରାଖିଗୁଡ଼ା ଓ ଭିକାପଙ୍ଗା ଭଳି ଅନେକ ଗ୍ରାମକୁ ସିଧାସଳଖ ପ୍ରଭାବିତ କରିବାକୁ ଯାଉଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ୨୦୦୬ର ବିଜ୍ଞପ୍ତି ଅନୁଯାୟୀ ପରିବେଶ ମଞ୍ଜୁରୀ ପୂର୍ବରୁ ଜନମତ ସଂଗ୍ରହ ନିମନ୍ତେ ଏହି ଜନଶୁଣାଣୀ ଆୟୋଜନ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଆଦାନୀ କମ୍ପାନୀକୁ ଖଣି ଆବଣ୍ଟନ ପ୍ରକ୍ରିୟା ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ଦେଖାଯାଇଛି। ସ୍ଥାନୀୟ ଆଦିବାସୀ ଓ ଦଳିତ ସମୁଦାୟଙ୍କ ମତରେ, ପାହାଡ଼ ସେମାନଙ୍କ ପାଇଁ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ସାଂସ୍କୃତିକ ଓ ଧାର୍ମିକ ଆସ୍ଥାର କେନ୍ଦ୍ର। ସେମାନେ ଅଭିଯୋଗ କରୁଛନ୍ତି ଯେ ଖନନ କାର୍ଯ୍ୟ ଆରମ୍ଭ ହେଲେ ଜଳସ୍ରୋତ ଶୁଷ୍କ ହେବ, ଜମି ଓ ଜଙ୍ଗଲ ନଷ୍ଟ ହେବା ସହିତ ସେମାନଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେବ। ଏହା ସହ ପାରମ୍ପରିକ ଅଧିକାର ଉଲ୍ଲଂଘନ ଓ ବିସ୍ଥାପନର ଭୟ ମଧ୍ୟ ସ୍ଥାନୀୟମାନଙ୍କ ମଧ୍ୟରେ ବଢ଼ୁଛି। ଜନଶୁଣାଣୀ ପ୍ରକ୍ରିୟାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ପ୍ରଭାବିତ ଗ୍ରାମ ନିକଟରେ ନକରି ଆସନ୍ତା ମଇ ୧୨ ତାରିଖରେ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏହା ଆୟୋଜନ କରାଯିବାକୁ ଯୋଜନା ହୋଇଛି, ଯାହାକୁ ସ୍ଥାନୀୟ ଲୋକମାନେ ବିରୋଧ କରୁଛନ୍ତି। ଏହାକୁ ନେଇ କଳାହାଣ୍ଡି ଓ ରାୟଗଡାର ପ୍ରଭାବିତ ଅଞ୍ଚଳମାନଙ୍କ ମିଳିତ ଆନୁକୂଲ୍ୟରେ ଗଠିତ “ମା-ମାଟି-ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ଆନ୍ଦୋଳନ ଜୋରଦାର ହୋଇଛି। ଆନ୍ଦୋଳନକାରୀମାନେ ଗତ ୩ ତାରିଖରୁ ଗାଁରୁ ଗାଁକୁ ପଦଯାତ୍ରା କରି ଲୋକମାନଙ୍କୁ ସଚେତନ ସହିତ ଜନମତ ଗଠନରେ ଲାଗିଛନ୍ତି। ପୋଲିସ ଘେରାଉ ମଧ୍ୟରେ ଜନଶୁଣାଣୀ କରାଯିବା ଯୋଜନାକୁ ଆନ୍ଦୋଳନକାରୀମାନେ ତିବ୍ର ଆପତ୍ତି ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହା ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ସମାନ। ଆସନ୍ତା ଦିନଗୁଡ଼ିକରେ ଏହି ବିବାଦ ଆହୁରି ତୀବ୍ର ରୂପ ନେବା ସମ୍ଭାବନା ରହିଛି।

