କଳାହାଣ୍ଡି ଜିଲ୍ଲା ରେଳଯାତ୍ରୀ ସଂଘର ବୈଠକ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଚଳିତ ମାସ ୧୭ ତାରିଖରେ ଭୁବନେଶ୍ଵର ଠାରେ ରେଳ ବିଭାଗର ଜେଡ ଆର ୟୁସିସି ବୈଠକ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିବାବେଳେ କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଡାଟା ଡାକ୍ତର ହେମସାଗର ସାହା ଉକ୍ତ ଜେଡ ଆର ୟୁ ସିସିର ଜଣେ ସଦସ୍ୟ।ଉକ୍ତ ରେଳ ବିଭାଗର ବୈଠକ ରେ ଯୋଗ ଦେଇ ନିଜ ନିଜ ଅଞ୍ଚଳର ରେଳ ସମସ୍ୟା ଉପରେ ଆଲୋଚନା ଓ ଦାବୀ ଉପସ୍ଥାପନ ପାଇଁ ରେଳ ବିଭାଗ ପକ୍ଷରୁ ଶ୍ରୀସାହା ଙ୍କ ପାଖକୁ ଚିଠି ପହଞ୍ଚିଛି। ଉକ୍ତ ରେଳ ବୈଠକରେ ଅଞ୍ଚଳର କେଉଁ କେଉଁ ରେଳ ସମସ୍ୟା ଉପରେ ଦାବୀ ଉପସ୍ଥାପନ କରାଯିବ ସେନେଇ ଗତକାଲି ସନ୍ଧ୍ୟା ସମୟରେ କଳାହାଣ୍ଡି ରେଳଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ ସଂଘ ର ସଭାପତି ସୁଭାଷ ଜୈନ ଙ୍କ ନେତୃତ୍ୱରେ ସ୍ଥାନୀୟ ୟଙ୍ଗବ୍ଲୁଡ ପବ୍ଲିକ ସ୍କୁଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଅଞ୍ଚଳର ବିଭିନ୍ନ ରେଳ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ଇସ୍ପାତ ଟ୍ରେନ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ପରେ ପ୍ରତିଦିନ ୮ ରୁ ୧୦ ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ରେଳ ଯାତ୍ରୀ ଙ୍କ ହେଉଥିବା ଅସୁବିଧା, ଅମୃତ ଭାରତ ଯୋଜନାରେ କେସିଙ୍ଗା ରେଳ ଷ୍ଟେସନ ର ୧ ଓ ୪ ନମ୍ବର ପ୍ଲାଟଫର୍ମ ରେ ତିଆରି ହୋଇଥିବା ଅତ୍ୟାଧୁନିକ ଶୌଚାଳୟର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହିତ କେୟାରଟେକର ନିଯୁକ୍ତି, ବିଶାଖାପାଟଣା ନୂଆଦିଲ୍ଲୀ ସମତା ଏକ୍ସପ୍ରେସ କୁ ପଞ୍ଜାବ ଓ ହରିୟାଣା ଯାଉଥିବା ଯାତ୍ରୀଙ୍କ ପାଇଁ ଫିରୋଜପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ,ସେହି ପୁରୁଣା ଦଶନ୍ଧି ର ଦାବୀ ଅଞ୍ଚଳବାସୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ସିଧା ସଳଖ ଟ୍ରେନ, କେସିଙ୍ଗା ରୁ ଟିଟଲାଗଡ ମଝିରେ ଲୁଥରବନ୍ଧ ଠାରେ ନୂତନ ଷ୍ଟେସନ ନିର୍ମାଣ , କେସିଙ୍ଗା ରେଳ ଷ୍ଟେସନ ରେ ଥିବା ୪ ନମ୍ବର ପ୍ଲାଟଫର୍ମ ର ଉଚିତ୍ ଉପଯୋଗ , କେସିଙ୍ଗା ରେଳ ଷ୍ଟେସନ ରେ ରେଳୱେ ପୋଲିସ ଫାଣ୍ଡି ସ୍ଥାପନ, ପଡୋଶୀ କାଣ୍ଡେଲ ରେଳ ଷ୍ଟେସନ ରେ ଉପଯୁକ୍ତ ଶୌଚାଳୟ, ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ର ଯଥା ଶୀଘ୍ର ସମାଧାନ ଏମିତି ଅନେକ ସମସ୍ୟା ଉକ୍ତ ଜେଡ ଆର ୟୁ ସି ସି ବୈଠକ ରେ ସମସ୍ୟା ଉଠାଇବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ଡାକ୍ତର ହେମସାଗର ସାହା ଙ୍କୁ ଅନୁରୋଧ କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, ସଂଘର ଅନ୍ୟତମ ପରାମର୍ଶ ରାମ କୁମାର ଜୈନ, କେସିଙ୍ଗା ନଗରପାଲ ନୃପରାଜ ଯାଦବ, ଯୁଗଳ କିଶୋର ଦୀପ, ଆନନ୍ଦ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ନଳୀନ ପଟ୍ଟନାୟକ, ଜୟ ଭଗବାନ ଜୈନ, ରମାକାନ୍ତ ଜେନା, ଅନିଲ ଜୈନ, ବେଣୁଧର ମହଲା, ସଦା ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବୈଠକ ଶେଷରେ ବିନୋଦ ଜୈନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *