ଗୁଣପୁର/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଡମ୍ବସରା ପଞ୍ଚାୟତରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ୍ ଯୋଗୁଁ ଦୁଇଟି ଦୋକାନ ହୁତୁହୁତୁ ହୋଇ ଜଳିଯାଇଛି। ଡମ୍ବସରା ମୁଖ୍ୟ ରାସ୍ତାରେ ଥିବା କେ. ଗୁରୁନାଥଙ୍କ କିରାନା ଓ ବହି ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ଅନୁମାନ ଅନୁଯାୟୀ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା କୁହାଯାଉଛି। ଚାହୁଁ ଚାହୁଁ ନିଆଁ ବିକରାଳ ରୂପ ନେଇ ପାଖ ଦୋକାନକୁ ମଧ୍ୟ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ତେବେ ଏହି ଦୁର୍ଭାଗ୍ୟଜନକ ଘଟଣାରେ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବହି ଓ ତେଜରାତି ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅଗ୍ନ ବିପନ୍ନ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଏହି ଦୋକାନ ଉପରେ ହିଁ କେ. ଗୁରୁନାଥଙ୍କ ପୁରା ପରିବାରର ଗୁଜୁରାଣ ନିର୍ଭର କରୁଥିଲେ। ଆଖି ଆଗରେ ରୋଜଗାରର ଏକମାତ୍ର ମାଧ୍ୟମ ଜଳିଯାଉଥିବା ଦେଖି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେଣୁ ସେମାନେ ସରକାରୀ ସହାୟତା ଦାବି କରିଛନ୍ତି।

