କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ସ୍ଥିତ ମତ୍ସ୍ୟ ବିଭାଗର ପୋଖରୀ କୂଳରେ ଏକ ବିଦ୍ୟୁତ୍ ଖୁଣ୍ଟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଢଳି ରହିଛି। ଏହା ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିଲେ ହେଁ ବିଦ୍ୟୁତ୍ ବିଭାଗ କିମ୍ବା ମତ୍ସ୍ୟ ବିବାଗର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବିଦ୍ୟୁତ୍ ଖୁଣ୍ଟଟି ସମ୍ପୂର୍ଣ୍ଣ ରୂପେ ଉପୁଡ଼ି ଯାଇ ଏକ ଗଛ ଉପରେ ଆଉଜି ରହିଛି। ଗଛଟିର ସାହାରାରେ ଖୁଣ୍ଟଟି ଅଟକି ରହିଥିବା ବେଳେ, ଏହା କେତେବେଳେ ଭୁଶୁଡ଼ି ପଡ଼ିବ ତାହାର କୌଣସି ଠିକଣା ନାହିଁ। ବିଶେଷ କରି ଏହି ସ୍ଥାନଟି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏହାର ନିକଟରେ ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଫଳରେ ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଓ ଯାନବାହନ ଚଳାଚଳ କରିଥାଏ। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ କେତେବେଳେ ବି ଏହି ଖୁଣ୍ଟଟି ପଡ଼ି କୌଣସି ଅଘଟଣ ଘଟିବାର ଆଶଙ୍କା ଜୋର୍ ଧରିଛି। ତେଣୁ କୌଣସି ବଡ଼ ବିପତ୍ତି ଘଟିବା ପୂର୍ବରୁ ବିଦ୍ୟୁତ୍ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖୁଣ୍ଟଟିକୁ ସେଠାରୁ ହଟାନ୍ତୁ କିମ୍ବା ସଠିକ୍ ଭାବେ ପୋତିବା ପାଇଁ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।
