ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ମହିଳା ମାନେ ଏକତ୍ରିତ ହୋଇ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି। ହେଲେ କିଛି କିଛି ସ୍ଥାନରେ ମହିଳାଙ୍କ ଉଗ୍ର ରୂପ ମଧ୍ୟ ପରିଲକ୍ଷିତ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବେ ମଦ ବିରୋଧରେ ମୈଦଳପୁର ଅଞ୍ଚଳର ଶତାଧିକ ମହିଳା ଥାନା ଘେରାଉ କରିବା ସହ ମଦ ଦୋକାନ ଭାଙ୍ଗିଥିଲେ। ଏହି ଘଟଣାରେ ଅବକାରୀ ବିଭାଗ ଓ ସମ୍ପୃକ୍ତ ମଦଦୋକାନ ମାଲିକଙ୍କ ଅଭିଯୋଗ ଭିତ୍ତିରେ ମୈଦଳପୁର ପୁଲିସ ମାମଲା ରୁଜୁ କରି ମହିଳାଙ୍କ ବିରୋଧରେ ନୋଟିସ୍ ଜାରି କରିଥିଲେ। ଏହାକୁ ନେଇ ପୁଣିଥରେ ଅଞ୍ଚଳରେ ଆକ୍ରୋଶ ଦେଖିବାକୁ ମିଳିଛି। ମହିଳାମାନେ ହାତରେ ଠେଙ୍ଗାବାଡ଼ି ଧରି ଥାନା ଘେରାଉ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାଙ୍କ ବିରୋଧ ପରେ ପୁଲିସ ପ୍ରଦାନ କରିଥିବା ନୋଟିସ୍ ପ୍ରତ୍ୟାହାର କରିଛନ୍ତି। ମଦ ଦୋକାନ ଭଙ୍ଗାରୁଜା ଘଟଣାରେ ପୁଲିସ ଘର ଘର ବୁଲି ବାଣ୍ଟି ଥିବା ନୋଟିସ ବର୍ତମାନ ଖାରଜ ହୋଇ ଯାଇଛି। ପ୍ରକାଶ ଥାଉ କି, ଚଳିତ ମାସ ୧୯ ତାରିଖ ଦିନ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀଙ୍କ ନେତୃତ୍ୱରେ ମୈଦଲପୁର ଓ ଏହାର ଆଖ ପାଖ ଅଂଚଳ ରୁ ହଜାର ହଜାର ମହିଳା ଏକାଠି ହୋଇ ମୈଦଲପୁର ସ୍ଥିତ ଠିପି ବନ୍ଦ ମଦ ଦୋକାନ ଓ ଦେଶୀ ଭାଟି ଭାଙ୍ଗି ମଦ ବୋତଲ ଭାଙ୍ଗିବା ସହ ଆସବା ପତ୍ର ରେ ନିଆଁ ଲଗାଇଥିଲେ। ଏ ନେଇ ମଦ ମାଲିକ ମାନେ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫୋଟ ଓ ଭିଡ଼ିଓ ମାଧ୍ୟମ ରେ ପୋଲିସ କିଛି ଜଣଙ୍କୁ ଚିହ୍ନଟ କରି ନୋଟିସ କରିଥିଲା। ଏହାର ପ୍ରତିବାଦରେ ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟା, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଥିଲା। ଆଜି (ରବିବାର) ଅଞ୍ଚଳର ହଜାର ହଜାର ମହିଳା ଏକତ୍ରିତ ହୋଇ ବିଧାୟକଙ୍କ ସହ ନୋଟିସ ଧରି ଥାନା ଘେରିଥିଲେ। ସେଠାରେ ପୁଲିସ ପ୍ରଶାସନ, ଭାଟି ମାଲିକ ଦେଇଥିବା ଅଭିଯୋଗ ପତ୍ର ପ୍ରତ୍ୟାହାର କରିଥିବା ଓ କୌଣସି ମାମଲା ଦାୟର ହୋଇ ନଥିବା ଲିଖିତ ପ୍ରତିଶ୍ରୁତି ପରେ ମହିଳାମାନେ ଘରକୁ ଫେରି ଥିଲେ।
