ଗ୍ରୀଣ୍ଡୋଲ କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଅଭାବ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଜାତୀୟ ଶିକ୍ଷା ନୀତି ଏନ୍ଇପି ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି ଉଠାଇଛନ୍ତି। ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ୩ ଜଣ ସ୍ଥାୟୀ ଶିକ୍ଷକ ଏବଂ ଡେପୁଟେସନରେ ଆସିଥିବା ଜଣେ ଶିକ୍ଷକ ରହିଛନ୍ତି। ଏହି ଅଳ୍ପ ସଂଖ୍ୟକ ଶିକ୍ଷକଙ୍କ ଉପରେ ସମସ୍ତ ଶ୍ରେଣୀର ପାଠପଢ଼ାର ଦାୟିତ୍ୱ ନିର୍ଭର କରୁଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ବିଦ୍ୟାଳୟରେ ଜଣେ ମଧ୍ୟ ଶିକ୍ଷୟିତ୍ରୀ ନାହାନ୍ତି। ଫଳରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା କିଶୋରୀ ଛାତ୍ରୀମାନଙ୍କ ପାଇଁ ସରକାରଙ୍କ ‘ଖୁସି’ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ହେଉଛି। ଋତୁସ୍ରାବ ସ୍ୱାସ୍ଥ୍ୟ, ପରାମର୍ଶ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବିଷୟରେ ଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଭାବକମାନେ କହିଛନ୍ତି।ଶିକ୍ଷକ ଅଭାବକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଆନ୍ଦୋଳନର ସ୍ୱର ମଧ୍ୟ ଜୋର ଧରିଛି। ସେମାନଙ୍କ ଅଭିଯୋଗ ଅନୁସାରେ, ଏକପଟେ ଶିକ୍ଷକ ସଂଖ୍ୟା କମ୍ ଥିବାବେଳେ ଅନ୍ୟପଟେ ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଉଥିବାରୁ ନିୟମିତ ଶିକ୍ଷାଦାନ ଆହୁରି ପ୍ରଭାବିତ ହେଉଛି। ଏନେଇ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ଜୁଲାଇ ମାସର ପ୍ରଥମ ସପ୍ତାହ ସୁଦ୍ଧା ଶିକ୍ଷକ ଅଭାବ ସମସ୍ୟାର ସମାଧାନ କରାଯିବ।ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନର ଏହି ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେଉଛି ଏବଂ କେବେ ଗ୍ରୀଣ୍ଡୋଲ କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅତିକମରେ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱାଭାବିକ ହେବ ଏବଂ କିଶୋରୀମାନଙ୍କ ପାଇଁ ‘ଖୁସି’ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ।

Leave a Reply

Your email address will not be published. Required fields are marked *