ଝରିଗାଁ/କ୍ରାନ୍ତିକ୍ଷେତ୍ର ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା। କଇଁଛ ଚୋରାଚାଲାଣ ବେଳେ ଚଢ଼ାଉ କରି ୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ବନବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚକଳାପଦର ପଞ୍ଚାୟତର କଙ୍ଗ୍ରା ସେକ୍ସନ ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ବାଇକ୍ରେ କଇଁଛ ନେଇ ଯାଉଥିବା ଦୁଇ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ବନବିଭାଗ। ସେଥିରୁ ଜଣେ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ବାଇକ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ଜଣକ ରାଇଘର ବ୍ଲକ ଚାତାବେଡା ଗ୍ରାମର ପ୍ରସନଜିତ କର୍ମକାର ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ବସ୍ତାରେ ବନ୍ଧା ହୋଇଥିବା ୩୦ଟି ଜୀବନ୍ତ କଇଁଛକୁ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କଇଁଛଗୁଡ଼ିକୁ କଳାହାଣ୍ଡିରୁ ଆଣି ନବରଙ୍ଗପୁର ଅଞ୍ଚଳରେ ଏକ ସାଇଡ୍ ବ୍ୟବସାୟ ଭାବେ ବିକ୍ରି କରାଯାଉଥିଲା ବୋଲି ନବରଙ୍ଗପୁର ଏସିଏଫ୍ ଦିବ୍ୟା ମାଧୁରୀ ସେଠି କହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।
