ବରିଷ୍ଠ ବିଜେପି ନେତା ଗୋଦାବରୀଶ ପାତ୍ରଙ୍କ ମାତୃ ବିୟୋଗ 

କୋକସରା/କ୍ରାନ୍ତିକ୍ଷେତ୍ର : ବରିଷ୍ଠ ବିଜେପି ନେତା ତଥା ପ୍ରତିଷ୍ଠିତ ବାସ୍ତୁବିତ୍ ଗୋଦାବରୀଶ ପାତ୍ରଙ୍କ ମାତା, ଅବସରପ୍ରାପ୍ତ ଆଇସିଡିଏସ୍ ସୁପରଭାଇଜର ପଦ୍ମାବତୀ ଦାସଙ୍କର ଶୁକ୍ରବାର ରାତି ୧୦.୧୫ ମିନିଟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ତାଙ୍କୁ ହୃଦଘାତ ହେବା ପରେ ପ୍ରଥମେ ଭବାନୀପାଟଣା ସ୍ଥିତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପୁଅ ଗୋଦାବରୀଶ ପାତ୍ର ଓ ସାନ ଝିଅ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ନେଉଥିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଵର୍ଗତ ପଦ୍ମାବତୀ ଦାସ ଜଣେ ଅତ୍ୟନ୍ତ ପରୋପକାରୀ, ସରଳ ଏବଂ ଧର୍ମପ୍ରାଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ କୋକସରା ବ୍ଲକର ଟେମେରା ଗାଁ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଏବଂ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭବାନୀପାଟଣା କାଳୀ ମନ୍ଦିର ପଡ଼ା ସ୍ଥିତ ବାସଭବନରେ ଶେଷ ଦର୍ଶନ ନିମନ୍ତେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଆଜି  ଅପରାହ୍ନ ଗୋଟାଏ ସମୟରେ ଆଶା ସାଗରପଡ଼ା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଏହି ଅନ୍ତିମ ସଂସ୍କାର ସମୟରେ ଶବଧାରରେ ପରିବାର ବର୍ଗ, ଆତ୍ମୀୟ ସ୍ଵଜନ, ବନ୍ଧୁବାନ୍ଧବଙ୍କ ସମେତ ଶତାଧିକ ସ୍ଥାନୀୟ ଶୁଭେଚ୍ଛୁ ସାମିଲ ହୋଇ ଅଶ୍ରୁଳ ବିଦାୟ ଜଣାଇଥିଲେ।

Leave a Reply

Your email address will not be published. Required fields are marked *