କେନ୍ଦୁଝର/ତେଲକୋଇ/କ୍ରାନ୍ତିକ୍ଷେତ୍ର : (ଯଯାତୀ କେଶରୀ ବେହେରା) ତାମିଲନାଡୁରେ ଘଟିଥିବା ମର୍ମନ୍ତୁଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ଶ୍ରମିକମାନଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶନିବାର ତେଲକୋଇ ବ୍ଲକ ଗସ୍ତ କରିଛନ୍ତି।
ଏହି ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାର ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ତେଲକୋଇ, ବଂଶପାଳ ଓ ହରିଚନ୍ଦନପୁର ବ୍ଲକର ବହୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରକୁ ଓଡ଼ିଶା ସରକାର ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।
କଂଗ୍ରେସର ପ୍ରତିନିଧି ଦଳ ତେଲକୋଇ ବ୍ଲକର ବିମଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଡାବିଲ ଗ୍ରାମର ଦୁବାନାଳି ସାହିରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଥିଲେ। ସେମାନେ ମୃତକଙ୍କ ପରିବାର ସହ ଆଲୋଚନା କରି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଏହି ଅବସରରେ କଂଗ୍ରେସ ନେତାମାନେ କହିଥିଲେ ଯେ, ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ନ ପାଇ ଜୀବିକା ଅନ୍ୱେଷଣରେ ଦୂର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାକୁ ସେମାନେ ଗୁରୁତ୍ୱର ସହ ଉଠାଇବେ ଏବଂ ଆଦିବାସୀ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି, ଶିକ୍ଷା ଓ ଜୀବନଜୀବିକାର ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ପ୍ରତିନିଧି ଦଳରେ ଓପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳର ନେତା ରାମଚନ୍ଦ୍ର କଦମ, ଆଦିବାସୀ ନେତା ଯଶୋବନ୍ତ ଲାଗୁରୀ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ଏବଂ ନିର୍ମଳ ନାୟକଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସ୍ଥାନୀୟ ଲୋକଙ୍କ ମତରେ, ଏହି ଦୁଃଖଦ ଘଟଣା କେବଳ କିଛି ପରିବାରର କ୍ଷତି ନୁହେଁ, ବରଂ ସମଗ୍ର ଅଞ୍ଚଳ ପାଇଁ ଏକ ବଡ଼ ସତର୍କ ସଙ୍କେତ। ରାଜ୍ୟରେ ପର୍ଯ୍ୟାପ୍ତ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେଲେ ଦୂର ରାଜ୍ୟକୁ ଶ୍ରମିକ ସ୍ଥାନାନ୍ତରଣ କମିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

