ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ପୋଲିସ ଧର୍ମଗଡ଼ ସବ୍ଡିଭିଜନ ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଏକ ସକ୍ରିୟ ଚୋରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଆଧାରରେ ପୋଲିସ ପ୍ରାୟ ୭୮ ଗ୍ରାମ ତରଳା ସୁନା, ୪ ଲକ୍ଷ ୪୨ ହଜାର ଟଙ୍କା ନଗଦ, ଗୋଟିଏ ଲୁହା ରଡ୍ ଓ ଲୁହା ହୁକ୍ ଜବତ କରିଛି। ଗୋଲାମୁଣ୍ଡା, କୋକସରା ଓ କେଗାଓଁ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ପୋଲିସ କହିଛି। ତଦନ୍ତ ସମୟରେ ଅଭିଯୁକ୍ତମାନେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ସ୍ୱୀକାର କରିବା ସହ ଚୋରି ସୁନାକୁ ସ୍ଥାନୀୟ ରିସିଭରଙ୍କ ନିକଟରେ ବିକ୍ରି କରି ପରିଚୟ ଲୁଚାଇବା ପାଇଁ ତରଳାଇ ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏହି ସୂଚନା ଆଧାରରେ ପୋଲିସ ଜବତ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ମାମଲା ଗୋଲାମୁଣ୍ଡା ଥାନାର ୫୨, ୬୧ ଓ ୭୬, କୋକସରା ଥାନାର ୨୪୭, ୧୨୫ ଓ ୨୯ ଏବଂ କେଗାଁ ଥାନାର ୧୦୧ ନମ୍ବର ମାମଲା ସହ ସମ୍ପୃକ୍ତ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେଦାରନାଥ ଦାସ (୪୬), ରାକେଶ ବାଗ (୨୪), ଦୁର୍ଜ୍ୟାଧନ ହରିଜନ (୫୨) ଏବଂ ରାମା ସଗରିଆ ଓରଫ ରାମ ହରିଜନ ଓରଫ ରାଜୁ। ଏହାସହ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲିମସେର ଗ୍ରାମର ଝସକେତନ ମେହେର ଙ୍କୁ ଚୋରି ସାମଗ୍ରୀର ରିସିଭର ଭାବେ ଚିହ୍ନଟ କରାଯାଇଛି। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ପ୍ରଯୁଜ୍ୟ ଧାରାରେ ମାମଲା ରୁଜୁ କରି ଶନିବାର ସେମାନଙ୍କୁ ଧର୍ମଗଡ଼ ଏସଡିଜେଏମ୍ କୋର୍ଟକୁ ଚାଲାଣ କରିଥିବା କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି।
