ଜନ୍ମଦିନ ଭିଡିଓ ସୁଟିଂ ଯାଉଥିବା ସମୟରେ ଡକାୟତି!

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗମୁଣ୍ଡା ଗ୍ରାମରେ ଜନ୍ମଦିନ ଉତ୍ସବର ଭିଡିଓ ସୁଟିଂକୁ କେନ୍ଦ୍ର କରି ଘଟିଥିବା କଥିତ ଡକାୟତି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହା କେବଳ ସୁଯୋଗ ଦେଖି କରାଯାଇଥିବା ଲୁଟ୍ ନା ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର, ଏହି ଦିଗକୁ ନେଇ କେଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଭିଡିଓଗ୍ରାଫର ରାଜେଶ ନାୟକ ଓ ତାଙ୍କ ସହଯୋଗୀ ଘନଶ୍ୟାମ ଦୁର୍ଗାଙ୍କୁ ବାଗମୁଣ୍ଡା ଗ୍ରାମରେ ଏକ ଜନ୍ମଦିନ ଉତ୍ସବର ଭିଡିଓ ସୁଟିଂ ପାଇଁ ଡକାଯାଇଥିଲା। ମକ୍ରାଗୁଡାର ଆଦିତ୍ୟ ବାଗଙ୍କ ପକ୍ଷରୁ ପୂର୍ବରୁ ୫ ହଜାର ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଥିବା ବେଳେ ବାକି ପାରିଶ୍ରମିକ କାର୍ଯ୍ୟ ଶେଷରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ମାତ୍ର ସୁଟିଂ ସ୍ଥଳକୁ ଯିବା ବାଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ପ୍ରାୟ ୬ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର କ୍ୟାମେରା, ଲେନ୍ସ ଓ ଅନ୍ୟାନ୍ୟ ଭିଡିଓ ସୁଟିଂ ସାମଗ୍ରୀ ଲୁଟି ନେଇଥିବା ଦାବି କରାଯାଇଛି। ଆକ୍ରମଣରେ ରାଜେଶ ନାୟକ ଓ ଘନଶ୍ୟାମ ଦୁର୍ଗା ଆହତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଘଟଣାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଆହତ ରାଜେଶ ନାୟକ କେଗାଁ ଥାନାରେ ଦାଖଲ କରିଥିବା ଲିଖିତ ଏତଲାରେ ଆଦିତ୍ୟ ବାଗଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। ତେବେ ଏହା କେବଳ ଏତଲାରେ ଉଲ୍ଲେଖିତ ଅଭିଯୋଗ। ଏହାର ସତ୍ୟତା ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ପଷ୍ଟୀକରଣ କିମ୍ବା ମତାମତ ପ୍ରକାଶ ପାଇନାହିଁ। ଏହି ଘଟଣାକୁ ନେଇ କିଛି ପ୍ରଶ୍ନ ସାମ୍ନାକୁ ଆସୁଛି। ଭିଡିଓଗ୍ରାଫରଙ୍କ ଯାତ୍ରା ସମ୍ପର୍କରେ ଦୁର୍ବୃତ୍ତମାନେ ପୂର୍ବରୁ କିପରି ସୂଚନା ପାଇଲେ? ଆକ୍ରମଣଟି ପୂର୍ବ ଯୋଜନାବଦ୍ଧ ଥିଲା କି? ନା ଏହା ଏକ ସାଧାରଣ ଲୁଟ୍ ଘଟଣା? ଏହି ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେଗାଁ ଥାନାରେ କେସ୍ ନମ୍ବର ୧୪୮/୨୬ ରେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ସମସ୍ତ ଦିଗକୁ ନେଇ ଛାନଭିନ ଚାଲିଛି। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *