ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥୁଆମୂଳ ରାମପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜେ.ଏମ୍.ଏଫ୍.ସି ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଗଛ କେବଳ ପରିବେଶକୁ ସବୁଜ କରେ ନାହିଁ, ବରଂ ଜୀବନ, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପିଢ଼ିର ସୁରକ୍ଷାର ମୂଳ ଆଧାର। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ ବୋଲି ସେ ଆହ୍ୱାନ କରିଥିଲେ।
ଏହି ଅବସରରେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀମାନେ ମଧ୍ୟ ଗଛ ଲଗାଇବା ସହ ସେଗୁଡ଼ିକର ସୁରକ୍ଷା କରିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାଗେଶ୍ବର ନାଏକ ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, ବନ କର୍ମଚାରୀ,ତାଲୁକ ଆଇନ ସେବା ସମିତିର ସଦସ୍ୟ ତଥା ଆଇନଜୀବୀ ମନୋରଞ୍ଜନ ନାଏକ,ଦିଲ୍ଲୀପ କୁମାର ନାଏକ, ଏପିପି ପ୍ରିୟଙ୍କା ମାଝୀ, କୋର୍ଟ ର ବରିଷ୍ଠ କିରାଣୀ ଅଶୋକ ସାହୁ ,ଜିମି ବେହେରା ପ୍ରମୁଖ ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ସଂଯୋଜକ ସୁଦର୍ଶନ ନାଏକଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ପରିବେଶ ସୁରକ୍ଷା ପ୍ରତି ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
