ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ଲାଗିଲା ନିଆଁ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ସମୟରେ ଏକ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ତେବେ କୋକସରା ଅଗ୍ନିଶମ ବିଭାଗର ଠିକ୍ ସମୟରେ ତତ୍ପରତା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ବିଦ୍ୟାଳୟରେ ରୋଷେଇ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ବିଦ୍ୟାଳୟର ପାଚିକା ପଦ୍ମିନୀ ବେହେରା ଓ ସୁକାନ୍ତ ହାତି ତୁରନ୍ତ ପ୍ରଧାନ ଶିକ୍ଷକ ଅରୁଣ ଶବରଙ୍କୁ ଅବଗତ କରାଇଥିଲେ। ପ୍ରଧାନ ଶିକ୍ଷକ ବିଳମ୍ବ ନକରି ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଶ୍ରେଣୀଗୃହରୁ ବାହାରକୁ ଆଣିବା ସହ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ, ହେମନ୍ତ ମାଝୀ, ବିଶ୍ବଜିତ ଜେନା, ସୁନିଲ ରଞ୍ଜନ ବାରାଲ ଏବଂ ଲଲିତ ପୁଟେଲ ପ୍ରମୁଖ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀର ଠିକ୍ ସମୟରେ ଏହି ପଦକ୍ଷେପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ପ୍ରଧାନ ଶିକ୍ଷକ ଶ୍ରୀଶବର ପ୍ରକାଶ କରିଛନ୍ତି। ଅଗ୍ନିଶମ ବିଭାଗର ଏଭଳି ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *