୧୦ରୁ ଯୋଗାଣ ସହାୟକଙ୍କ ସାମୂହିକ ଛୁଟି ଚେତାବନୀ

କୋକସରା/କ୍ରାନ୍ତିକ୍ଷେତ୍ର  : ବିଭିନ୍ନ ନ୍ୟାୟୋଚିତ ଦାବି ପୂରଣ ନେଇ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଆସନ୍ତା ୧୦ ତାରିଖରୁ କୋକସରା ବ୍ଲକ ଯୋଗାଣ ସହାୟକ ସଂଘ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛି। ଏ ନେଇ ମଙ୍ଗଳବାର ସଂଘ ପକ୍ଷରୁ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଯୋଗାଣ ସହାୟକମାନଙ୍କର ଦୀର୍ଘଦିନର ଦାବି ପ୍ରତି ସରକାର ଏପର୍ଯ୍ୟନ୍ତ କୌଣସି କର୍ଣ୍ଣପାତ କରୁନାହାନ୍ତି। ପୂର୍ବରୁ ବାରମ୍ବାର ଦାବି ଜଣାଯାଇଥିଲେ ହେଁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ବାଧ୍ୟ ହୋଇ ଚଳିତ ମାସ ୧୦ ତାରିଖରୁ ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଜୁଲାଇ ଓ ଅଗଷ୍ଟ ମାସର ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ପ୍ରଶାସନ ପକ୍ଷରୁ ଚାପ ପକାଯାଉଥିବା ବେଳେ, ସଂଘ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ବା ପରୋକ୍ଷରେ କୌଣସି ପ୍ରକାର ଚାପ ପ୍ରୟୋଗ ନକରିବାକୁ ସଂଘ କହିଛି। ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ, ତେବେ ଏହା ଏକ ବୃହତ୍ତର ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଯୋଗାଣ ସହାୟକ ବିକ୍ରମ କୁମାର ସାହୁ, ଟିକେଶ୍ବର ବାଗ, ଦୟାନିଧି ଶବର, ପ୍ରକାଶ ନାଗ, ଧର୍ମେନ୍ଦ୍ର କୁମାର ଦାସ ଓ ପ୍ରଶାନ୍ତ ନାଏକଙ୍କ ସମେତ ସଂଘର ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *