ନିଶାନ୍ତ ବାର ସ୍ଥାନାନ୍ତର ମାମଲା, ତାତିଲେ ବୁଦ୍ଧିଜିବୀ ବନ୍ଦ କଲେ ନିର୍ମାଣ କାମ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ଆରଏମସି ଶେଷ ମୁଣ୍ଡରେ ଥିବା ନିଶାନ୍ତ ବାର (ବିଦେଶୀ ମଦ ଦୋକାନ) କୁ କେସିଙ୍ଗା ଟିଟଲାଗଡ ରାସ୍ତା ଓମ୍ ନଗର କୁ ଘୁଞ୍ଚିବା କୁ ନେଇ ପ୍ରାୟ ୧୫ ଦିନ ତଳେ ଦେଖାଦେଇଥିବା ବିବାଦ ଥମିବାର ନାମ ନେଉ ନାହିଁ। କିଛି ମାସ ତଳେ ନିଶାନ ବାର କୁ କେସିଙ୍ଗା ଏନ୍ଏସି ତରଫରୁ କେସିଙ୍ଗା – ଟିଟଲାଗଡ ରାସ୍ତା କଡକୁ ସ୍ଥାନାନ୍ତରଣ କୁ ନେଇ ଏନ୍ଓସି ପ୍ରଦାନ କରାଯାଇଥିଲା।ପରେ କିଛି ଗଣମାଧ୍ୟମରେ ଉକ୍ତ ବିଷୟ ଖବର ପ୍ରସାରଣ ପରେ ସହରରେ ଅସନ୍ତୋଷ ବଢିବାରେ ଲାଗିବା ସହିତ ସାମାଜିକ ଗଣମାଧ୍ୟମ ରେ ଓ କେସିଙ୍ଗା ସିଟିଜନ ଫୋରମ୍, ସହରରେ ଥିବା ବିଭିନ୍ନ ସଂଗଠନ, ସହରର ବୁଦ୍ଧିଜିବୀ, ସଚେତନ ନାଗରିକ ମଞ୍ଚ, ସମସ୍ତ ରାଜନୈତିକ ଦଳ, କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ପ୍ରବଳ ବିରୋଧ ପରେ ଗତ ୨୯ ତାରିଖ ଦିନ କେସିଙ୍ଗା ଏନ୍ଏସି ର ଲେଟର ନଂ ୨୧୭୭ ଅନୁଯାୟୀ ଆଗରୁ ଦିଆଯାଇଥିବା ଏନଓସି କୁ ବାତିଲ କରିଛି ବୋଲି ଏକ ଚିଠି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇ ଜିଲ୍ଲା ଅବକାରୀ ଅଧିକାରୀ ଙ୍କୁ ସୂଚିତ କରାଯାଇଛି ବୋଲି ନଗରପାଳ ପ୍ରକାଶ କରିଥିଲେ। କଥାଟି ଏତିକିରେ ଅନ୍ତ ନ ହୋଇ ଦୁଇଦିନ ହେଲାଣି ପୁଣିଥରେ ସାମାଜିକ ଗଣ ମାଧ୍ୟମରେ ଓ ବୁଦ୍ଧିଜିବୀ ମହଲରେ ପୁଣି ଥରେ ନିଶାନ ବାର ର ସ୍ଥାନାତରଣ କଥା ଜୋର୍ ଧରୁଛି। କାରଣ ଏନ୍ଏସି ର ବାତିଲ ସତ୍ତ୍ୱେ ଉକ୍ତ ନିଶାନ ବାରର ଲାଇସେନ୍ସ ଧାରୀ କେସିଙ୍ଗା – ଟିଟଲାଗଡ ରାସ୍ତାରେ ଦୁଇ ତିନୋଟି ଭଡ଼ା ଘର ନେଇ ନିଜ ଦୋକାନ ଖୋଲିବା ପାଇଁ ସଜବାଜ ହେବାସହ କ୍ଷେତ୍ର ପ୍ରସ୍ତୁତ କରୁଥିବା ଦେଖାଯାଉଛି। ସେଥି ପାଇଁ ପୁଣିଥରେ ବିବାଦ ଦେଖାଯାଇଛି। ବୁଧବାର ଅଞ୍ଚଳର ବୁଦ୍ଧିଜିବୀ ସଚେତନ ନାଗରିକ ମାନେ ନୂତନ ବାର ଖୋଲିଥିବା ସ୍ଥାନକୁ ଯାଇ ଲିଜ ଧାରୀ କୁ ଉକ୍ତ ସ୍ଥାନରେ ଦୋକାନ ନ ଖୋଲିବା ସହିତ ନିର୍ମାଣ କାମ ବନ୍ଦ କରିବାକୁ ବୁଦ୍ଧିଜିବୀ ଅନୁରୋଧ କରି କେସିଙ୍ଗା ପୋଲିସ ଷ୍ଟେସନ କୁ ଯାଇ ନିଜ ଅସନ୍ତୋଷ ଝାଡ଼ିବା ସହିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ଥାନରେ ବିଦେଶୀ ମଦ ଦୋକାନ ଖୋଲିଲେ ଆଗକୁ ଆଇନ ଶୃଙ୍ଖଳା ବିଗିଡିବା ସହିତ ଦରକାର ପଡ଼ିଲେ କେସିଙ୍ଗା ବାସୀଙ୍କ ତରଫରୁ ଆନ୍ଦୋଳନ କରାଯିବ ବୋଲି କହି ଅନୁମତି ନ ଦେବା ପାଇଁ ଅଧିକାରୀ ଙ୍କୁ କହିଥିଲେ। ଆମେ ଉକ୍ତ ବିଷୟ ଉପରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ସହିତ ଆଲୋଚନା ପାଇଁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

Leave a Reply

Your email address will not be published. Required fields are marked *