ମ୍ୟୋଲିରିଆରେ ଛାତ୍ର ମୃତ୍ୟୁ ଅଭିଯୋଗ : ଆଶ୍ରମ ବିଦ୍ୟାଳୟର ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକାନମାଳା ଗ୍ରାମ ପଞ୍ଚାୟତର ସିନ୍ଧିଗୁଡା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହୋଇ ବିଦ୍ୟାଳୟର ଜଣେ ୧୩ ବର୍ଷୀୟ ଅଧ୍ୟୟନରତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ପରକାନମାଳା ଗ୍ରାମର ଅଭିଳାଷ ମୁଦୁଲି। ସାଧାରଣ ମ୍ୟାଲେରିଆରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଗତ ୮ ତାରିଖରେ ଅଭିଳାଷ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ସେ ତାଙ୍କ ଶିକ୍ଷକଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ ଅଭିଳାଷଙ୍କ ମ୍ୟାଲେରିଆ ପଜିଟିଭ୍ ଆସିଥିଲା। ପ୍ରଥମ ଦିନର ଔଷଧ ଖାଇବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ୯ ତାରିଖରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା। ପୁଅକୁ ଜର ହେଉଥିବା ଖବର ପାଇବା ପରେ ଅଭିଳାଷଙ୍କ ବାପା ଦିନ ମୁଦୁଲି ବିଦ୍ୟାଳୟକୁ ଆସି ପୁଅର ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାକୁ ଘରକୁ ନେଇଯିବା ପାଇଁ ଜିଦ୍ କରିଥିଲେ। ମାତ୍ର ଚିକିତ୍ସା ଚାଲୁ ରହିଥିବା ଦର୍ଶାଇ ସ୍କୁଲର ଶିକ୍ଷକମାନେ ତାଙ୍କୁ ଛାଡ଼ି ନଥିବା ଅଭିଯୋଗ ହୋଇଛି। ଆଜି (ଶୁକ୍ରବାର) ହଠାତ୍ ଅଭିଳାଷଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶିକ୍ଷକମାନେ ତାଙ୍କୁ ପୁନର୍ବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ମୃତ ଛାତ୍ରଙ୍କ ପିତା, ଗ୍ରାମବାସୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ମଙ୍ଗଳ (କଲ୍ୟାଣ) ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ତଦନ୍ତ ଚଳାଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପିଲାଟିର ଜୀବନ ଗଲା କି ନାହିଁ, ସେ ନେଇ ପୋଲିସ ଛାନଭିନ କରୁଛି।

Leave a Reply

Your email address will not be published. Required fields are marked *