ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ରାତି ଅଧରେ କଳା ମୁଖାପିନ୍ଧା ସଶସ୍ତ୍ର ଡକାୟତଙ୍କ ଆତଙ୍କରାଜ। ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସୁନା ଗହଣା ସହ ନଗଦ ୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଝରିଗାଁ ଥାନା ବାଣୁଆଗୁଡ଼ା ପଞ୍ଚାୟତ ଗାଉଁଟିଆଗୁଡ଼ା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଅବସରପ୍ରାପ୍ତ ଶିକ୍ଷକ ଲଛମନ ଠାକୁର ଓ ତାଙ୍କ ପତ୍ନୀ ଶୋଇଥିବା ବେଳେ, କବାଟ ଭାଙ୍ଗି ଘରେ ପଶିଥିଲେ ଡକାୟତ। ଖଣ୍ଡା ଓ ଭୁଜାଲି ଦେଖାଇ, ଜୀବନରେ ମାରିଦେବାର ଧମକ ଦେଇ ଆଲମାରୀରୁ ଲୁଟିନେଲେ ସର୍ବସ୍ୱ। ଚାଷ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ଆଣିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହ ଘରେ ଥିବା ନଗଦ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ସବୁ ଲୁଟି ନେଇଛନ୍ତି। ପୀଡ଼ିତଙ୍କ କହିବା ଅନୁସାରେ, ଲୁଟେରାମାନେ ହିନ୍ଦୀ ଏବଂ ବଙ୍ଗଳା ଭାଷାରେ କଥା ହେଉଥିଲେ। ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ଖେଳିଯାଇଥିବା ବେଳେ, ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି।
