ଝାରସୁଗୁଡ଼ାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଂଯମତା ଓ ପରିପକ୍ୱତା ଦଳୀୟ ଶୃଙ୍ଖଳା ରକ୍ଷା କରି ଫେରିଲେ ଭୁବନେଶ୍ୱର

ଝାରସୁଗୁଡ଼ା/କ୍ରାନ୍ତିକ୍ଷେତ୍ର (ନୀଳକଣ୍ଠ ମିଶ୍ର): ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାର୍ଯ୍ୟକ୍ରମ ସମୟରେ ଶନିବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ହିର୍ମା ଗ୍ରାମପଞ୍ଚାୟତର କନ୍ଦାଗାଡ଼ସ୍ଥିତ ମା ସମଲେଶ୍ୱରୀ ପୀଠକୁ ଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ କିଛି ଦଳୀୟ କର୍ମୀ ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ମନ୍ତ୍ରୀ ନିଜର ମନ୍ଦିର ଗସ୍ତ ବାତିଲ କରି ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ୱର ଫେରିଯାଇଥିଲେ।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ମନ୍ତ୍ରୀ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ କନ୍ଦାଗାଡ଼ ଅଭିମୁଖେ ବାହାରିଥିଲେ। ଏହି ସମୟରେ SMC ଛକ ନିକଟରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କିଛି ସମର୍ଥକ ଏବଂ ମହିଳା ବିଜେପି କର୍ମୀ ରାସ୍ତାରେ ବସି ତାଙ୍କ ଗାଡ଼ିକୁ ଅଟକାଇବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ମନ୍ତ୍ରୀ ସୁରେଶ ପୂଜାରୀ ଗାଡ଼ିରୁ ଓହ୍ଲାଇ ବିରୋଧ କରୁଥିବା କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ସେ ସେମାନଙ୍କ ଅଭିଯୋଗ ଶୁଣିବା ସହ ପରିସ୍ଥିତିକୁ ଶାନ୍ତ ରଖିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଏହି ସମୟରେ ତାଙ୍କ ସହ ଥିବା ସମର୍ଥକମାନଙ୍କୁ ମଧ୍ୟ ସଂଯମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ, ଯାହାଫଳରେ ଉଭୟ ପକ୍ଷ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ନିଜର ନିର୍ଦ୍ଧାରିତ ମନ୍ଦିର ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ସେଠାରୁ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ପରେ ସେ ଭୁବନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି।

ଘଟଣା ପରେ ସ୍ଥାନୀୟ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ମହଲ ମନ୍ତ୍ରୀଙ୍କ ସଂଯମକୁ ପ୍ରଶଂସା କରୁଥିବା ବେଳେ, ଅନ୍ୟପକ୍ଷରେ ଜଣେ ବରିଷ୍ଠ ନେତାଙ୍କ କାର୍ଯ୍ୟକ୍ରମ ସମୟରେ ଏପରି ବିରୋଧକୁ ନେଇ ମଧ୍ୟ ଆଲୋଚନା ହେଉଛି।

ତେବେ ଏହି ଘଟଣା ସମ୍ପର୍କରେ ବିଧାୟକ ଟଙ୍କଧର ତ୍ରିପାଠୀ କିମ୍ବା ତାଙ୍କ ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ମିଳିନଥିଲା। ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ।

Leave a Reply

Your email address will not be published. Required fields are marked *