ରଥନିର୍ମାଣର ୮୨ତମ ଦିବସ : ତିନିରଥରେ ସଂସ୍ଥାପିତ ହେଲା କଳସ, ଓଲଟ ଶୁଆ ଓ ଅଁଳା

ପୁରୀ/କ୍ରାନ୍ତିକ୍ଷେତ୍ର (ନିଳକଣ୍ଠ ମିଶ୍ର) : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ରଥ ନିର୍ମାଣର ୮୨ତମ ଦିବସରେ ମୋଟ ୨୪୩ ଜଣ ରଥନିର୍ମାଣକାରୀ ସେବକ ସକାଳ ୮ଟା ସମୟରେ ରଥଖଳାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜିର ଉପସ୍ଥାନ ମଧ୍ୟରେ ୭୭ ଜଣ ମହାରଣା, ୭୬ ଜଣ ଭୋଇ ସେବକ, ୪ ଜଣ କରତୀ, ୨୧ ଜଣ ରୂପକାର, ୨୦ ଜଣ ଓଝା କମାର, ୨ ଜଣ ତୁମ୍ବ ବିନ୍ଧ କାରୀଗର, ୨ ଜଣ ପାହି ମହାରଣା, ୪୦ ଜଣ ଚିତ୍ରକାର ଏବଂ ଜଣେ ରଥଖଳା ସହାୟକ ସାମିଲ ଥିଲେ। ଗତକାଲି ସୁଦ୍ଧା ତିନିରଥରେ ବ୍ରେକ ପୁଲି ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥକୁ କଳସ, ଓଲଟ ଶୁଆ ଏବଂ ଅଁଳା ଉଠାଯାଇଛି। ଏଗୁଡ଼ିକୁ ରଥ ପୋଟଳ ଖପୁରୀରେ ସ୍ଥାପନ କରାଯିବା ସହ କଣ୍ଟା ବସିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଅପରପକ୍ଷରେ, ଚିତ୍ରକାର ସେବକମାନଙ୍କ ଦ୍ବାରା ତିନିରଥର ବାହ୍ୟ ଅଂଶ ଗୁଡିକର ରଙ୍ଗ କାର୍ଯ୍ୟ ଜାରି ରହିଛି। ଏହା ସହିତ ରଥର ଅନ୍ୟତମ ମୁଖ୍ୟ ଆକର୍ଷଣ ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାର୍ଯ୍ୟ ମଧ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଆଜି ଦରଜୀ ସେବକମାନେ ତିନିରଥର ବତା କାନା କାର୍ଯ୍ୟ ଶେଷ କରିଛନ୍ତି। ରଥ ଉପରେ କାନା ପଡ଼ିବା ପାଇଁ କନା ଯୋଡଣି କାର୍ଯ୍ୟ ସରିବା ସହ ତିନିରଥର ଦୁଆର ବେଢା ଏବଂ ଚନ୍ଦ୍ର ଶାଳୀରେ ଚିକଣ ଫୁଲ ଓ ଜରୀ ଲେସ୍ ଲଗାଯାଇଛି। ବର୍ତ୍ତମାନ ପୋଟଳ କାନା କଟିଙ୍ଗ ପରେ ସେଥିରେ ଚିକଣ ଜରୀ ଲେସ୍ କାର୍ଯ୍ୟ ଚାଲିଥିବା ବେଳେ ତିନିରଥର ସାରଥିଙ୍କ ପୋଷାକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ଆଜି ଅପରାହ୍ନରେ ତିନିରଥରେ କାନା ପଡ଼ିବା କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟ ଦରଜୀ ସେବକ ସୂଚନା ଦେଇଛନ୍ତି। ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ରଥରେ କାନାପକା, ଅଣସର ତାଟି କାଟିବା ଏବଂ ଚାର ବାନ୍ଧିବା ପାଇଁ କୋଠ ସୁଆଁସିଆ ସେବକମାନଙ୍କ ନିମନ୍ତେ ଆବଶ୍ୟକୀୟ ଛୁରୀ, କଟୁରୀ ଓ ହାତୁଡ଼ି ଇତ୍ୟାଦି ସାଜ ସରଞ୍ଜାମ ନିର୍ମାଣ ଶେଷ କରିଛନ୍ତି। ସେହିପରି ପାହି ମହାରଣାମାନେ ରଥ ଯାତ୍ରା ପାଇଁ କାଠ ନିର୍ମିତ ସରଞ୍ଜାମ ଶେଷ କରିବା ପରେ, ଏବେ ରଥ ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାଠ ସାମଗ୍ରୀର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *